ସମୁଦ୍ର ଆଁ ଭିତରେ ଲୀନ ହୋଇଯିବ ଗାଁ, ଭୟରେ ଦିନ କାଟୁଛନ୍ତି ଗଞ୍ଜାମ ୩ ଖଣ୍ଡ ଗାଁ ଲୋକ

ବ୍ରହ୍ମପୁର : ଗାଁ ମୁହାଁ ମହୋଦଧି । ଅଶାନ୍ତ ହେଉଛି ପାରାବାର । ସମୁଦ୍ର ଗର୍ଭରେ ଗାଁ ଲୀନ ହେବା ଆଶଂକା । ପାଣିରେ ଧୋଇ ହେଲା ଆଶ୍ରୟ ସ୍ଥଳୀ, ଜେଟି ଘର, ମଶାଣି ଓ ମନ୍ଦିର । ଆଉ ମାତ୍ର ଶହେ ମିଟର ଦୂରରେ ରହିଛି ସମୁଦ୍ର । ଆତଙ୍କିତ ଗ୍ରାମବାସୀ । ଏହି ଦୃଶ୍ଯ ହେଉଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ଆର୍ଯ୍ୟପଲ୍ଲୀ ଗାଁ । ଦିନ ଥିଲା ଗାଁରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିଲା ସମୁଦ୍ର। କିନ୍ତୁ ଧିରେ ଧିରେ ସମୁଦ୍ର ଅଶାନ୍ତ ହେବା ସହ ଗାଁ ଆଡ଼କୁ ମୁହାଁଇଛି । ଏବେ ସମୁଦ୍ରରୁ ଆଉ ମାତ୍ର ଶହେ ମିଟର ଦୂରରେ ରହିଛି ଆର୍ଯ୍ୟପଲ୍ଲୀ ଗାଁ । ଆଗାମୀ ଦିନରେ ଯଦି ବାତ୍ୟା ଆସେ ତେବେ ଆର୍ଯ୍ୟପଲ୍ଲୀ ଗାଁ ସମ୍ପୂର୍ଣ୍ଣ ସମୁଦ୍ରରେ ଲୀନ ହୋଇଯିବ ବୋଲି ଆଶଂକା କରିଛନ୍ତି ଗ୍ରାମବାସୀ । ପାଞ୍ଚ ଦିନ ହେବ ଭୟଙ୍କର ଲହଡି ଆସୁଛି । ଆଗକୁ ପୂର୍ଣ୍ଣିମା ଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ ।

ସମୁଦ୍ର ଅଶାନ୍ତ ରହିଥିବା ଯୋଗୁଁ ବହୁତ ଦିନ ହେଲା ସମୁଦ୍ରକୁ ମାଛ ମାରିବା ପାଇଁ ଯାଇପାରି ନାହାନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । ବିଭିନ୍ନ ସମୟରେ ଏଭଳି ସ୍ଥିତି ଦେଖିବାକୁ ମିଳୁଥିବା ଯୋଗୁଁ ଅଧିକାଂଶ ମତ୍ସ୍ୟଜୀବୀ ବାହାର ରାଜ୍ୟକୁ ଦାଦନ ଖଟିବା ନିମନ୍ତେ ଗଲେଣି । କେବଳ ପୁରୁଷ ନୁହେଁ ବରଂ ଗାଁର ମହିଳା ମାନେ ମଧ୍ୟ ବ୍ରହ୍ମପୁର ଓ ଛତ୍ରପୁରକୁ ଯାଇ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ୨୦୧୬ରେ ଜିଲ୍ଲା ପ୍ରଶାସନକୁ ଉପକୂଳରେ ପଥର ବନ୍ଧ ନିର୍ମାଣ କରିବା ପାଇଁ କୁହାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇ ପାରିଲା ନାହିଁ । ଗାଁର ଆଶ୍ରୟସ୍ଥଳ, ଜେଟି, ମଶାଣି ସମୁଦ୍ର ଭିତରେ ଲିନ ହୋଇଗଲାଣି । ଶବ ଶତ୍କାର କରିବାକୁ ଜାଗା ନାହିଁ । ବନ୍ଦରର ଅବ୍ୟବସ୍ଥା ଯୋଗୁଁ ଗାଁ ଭିତରକୁ ସମୁଦ୍ର ପଶି ଆସୁଥିବା ଲୋକେ ଅଭିଯୋଗ କରିଛନ୍ତି । ଡଙ୍ଗା ଓ ଜାଲକୁ ଜଗି ବାହାରେ ଶୋଉଥିବା କହିଛନ୍ତି ଗ୍ରାମବାସୀ । ରାମେୟାପାଟଣା ଓ ପୋଡ଼ମପେଟା ମଧ୍ଯ ସମାନ ସ୍ଥିତି । ଆଗାମୀ ଦିନରେ ପଦକ୍ଷେପ ନନେଲେ ଆନ୍ଦୋଳନ କରିବାକୁ ଗ୍ରାମବୀସୀ ଚେତାବନୀ ଦେଇଛନ୍ତି ।