ଭୁବନେଶ୍ବର : ଫିଟିବ କି ମହାନଦୀ ବିବାଦ ସମାଧାନର ବାଟ? ଓଡ଼ିଶାର ଦାବି ଶୁଣିବ କି ଛତିଶଗଡ଼ ସରକାର? ଆନ୍ତଃ-ରାଜ୍ୟ ଜଳ ବିବାଦର ସମାଧାନ ଅଦାଲତରେ ହେବ ନା ଆଲୋଚନାରେ? ମହାନଦୀ ବିବାଦ ସମାଧାନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିର ଦ୍ବିତୀୟ ବୈଠକରେ ସମସ୍ତଙ୍କ ପକ୍ଷ ଶୁଣିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୩ ତାରିଖରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ସହ ଆଲେଚନା କରିବେ ଉଚ୍ଚସ୍ତରୀୟ କମିଟି। ମହାନଦୀ ଆନ୍ଦୋଳନ ସହ ଜଡ଼ିତ ବିଭିନ୍ନ ସଙ୍ଗଠନ ସହିତ ବି କଥା ହେବ କମିଟି ୨୩ ତାରିଖରେ। ବୈଠକର ନିଷ୍କର୍ଷ ଆଧାରରେ ଛତିଶଗଡ ଯାଇ ପକ୍ଷ ରଖିବେ ସରକାର। ମହାନଦୀ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣୀ ଫେବୃଆରୀ ୭ ତାରିଖରେ ଥିବାରୁ ଏହା ପୂର୍ବରୁ ଛତିଶଗଡ଼ ସରକାରଙ୍କ ଆଲୋଚନା କରିବ ମହାନଦୀ କମିଟି। ଆସନ୍ତା ଜାନୁଆରୀ ୩୧ରୁ ୨ ଦିନ ଲାଗି ଓଡ଼ିଶା ଟିମ୍ ଛତିଶଗଡ଼ ଯାଇ ମହାନଦୀ ପ୍ରସଙ୍ଗରେ ଆଲୋଚନା କରିବେ।
୧୨ ମାର୍ଚ୍ଚ ୨୦୧୮ ରେ ଗଠନ ହୋଇଥିଲା ମହାନଦୀ ଆନ୍ତଃ-ରାଜ୍ୟ ଟ୍ରିବ୍ୟୁନାଲ। ପ୍ରଥମେ ୫ବର୍ଷ ଓ ପରେ ଆଉ ୩ ବର୍ଷ ଟ୍ରିବ୍ୟୁନାଲର ଅବଧି ବଢିଥିଲା। ୧୩ ମାର୍ଚ୍ଚ ୨୦୨୬ରେ ଅବଧି ସରିବାକୁ ଥିବାରୁ ଏହାକୁ ଆହୁରି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ଟ୍ରିବ୍ୟୁନାଲରେ ଓଡ଼ିଶା ସରକାର ନିଜ ପକ୍ଷ ଦୃଢ ଭାବେ ରଖିଥିଲେ ବୋଲି ବିଜେଡ଼ି ବିଧାୟକ ତଥା କମିଟି ସଦସ୍ୟ ନିରଞ୍ଜନ ପୂଜାରୀ କହିଛନ୍ତି। ଗୋଟିଏ ପଟେ ଆଇନଗତ ଲଢେଇରେ ଓଡ଼ିଶା ଦୃଢ ଜବାବ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ବିବାଦର ଆପୋସ ସମାଧାନ ପାଇଁ ଉଭୟ ରାଜ୍ୟ ମଧ୍ୟ ଆଲୋଚନା କରିରବାକୁ ନିଷ୍ପତ୍ତି ହୋଇଛି। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, AG ପିତାମ୍ବର ଆଚାର୍ଯ୍ୟ, ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ, ବିଜେପି ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ ଉପସ୍ଥିତ ଥିଲେ। ଡିସେମ୍ବର ୨୩ ତାରିଖରେ ମହାନଦୀ କମିଟିର ପ୍ରଥମ ବୈଠକ ବସିଥିଲା।

