ସେ ପାକିସ୍ତାନୀ ଏଜେଣ୍ଟ ନୁହେଁ ତ? ଜାଣନ୍ତୁ ଅଞ୍ଜୁଙ୍କୁ କାହିଁକି କହିଲେ ପାକିସ୍ତାନରୁ ଆସିଥିବା ସୀମା

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ଅଞ୍ଜୁ ସୋସିଆଲ ମିଡିଆ ହେଉ ବା ଗଣମାଧ୍ୟମ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ପାକିସ୍ତାନରୁ ଫେରିଥିବା ଭାରତୀୟ ମହିଳା ଅଞ୍ଜୁ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ପାକିସ୍ତାନୀ ସ୍ବାମୀ ନସରୁଲ୍ଲାଙ୍କୁ ଛାଡ଼ି ଭାରତ ଫେରିଥିବାବେଳେ ସେ ଏଠାରେ ରହିବେ କି ପୁଣିଥରେ ଫେରିଯିବେ ତାକୁ ନେଇ ଆରମ୍ଭ ହୋଇଛି ତର୍କ ବିତର୍କ । ହରିୟାଣା ପୋଲିସ ତାଙ୍କୁ ପଚରା ଉଚରା କରିଥିବାବେଳେ ଅଞ୍ଜୁଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ସୀମା ହାଇଦର । ସେ କହିଛନ୍ତି କି, ଅଞ୍ଜୁ ପାକିସ୍ତାନୀ ଏଜେଣ୍ଟ ହୋଇ ଫେରିନାହାନ୍ତି ତ? ଭାରତ ଭଳି ସୁନ୍ଦର ଦେଶକୁ ଛାଡ଼ି ପାକିସ୍ତାନ ପଳାଇଥିବା ଅଞ୍ଜୁ ପୁଣିଥରେ ଭାରତକୁ ଫେରିବା ପଛରେ କିଛି କାରଣ ରହିନାହିଁ ତ?

ସେପଟେ ପାକିସ୍ତାନରୁ ଫେରିବା ପରେ ହରିୟାଣା ପୋଲିସ ହେପାଜତରେ ରହିଥିଲେ । ତାଙ୍କୁ ୧୨ଟି ପ୍ରଶ୍ନ ପଚରା ଯାଇଥିବାବେଳେ ସେ ନିଜର ଉତ୍ତର ରଖିଛନ୍ତି । ସେପଟେ ଧର୍ମ ପରିବର୍ତ୍ତନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଞ୍ଜୁ । ସେ କହିଛନ୍ତି କି, ମୁଁ ଜନ୍ମରୁ ଖ୍ରୀଷ୍ଟିଆନ । ପାକିସ୍ତାନ ଯାଇ ସେଠାରେ ଧର୍ମ ପରିବର୍ତ୍ତନ କରିଛି । ଆଉ ମୋତେ ହିନ୍ଦୁ ଧର୍ମକୁ ନେଇ ଯେଉଁ ପ୍ରଶ୍ନ କରାଯାଉଛି ମୁଁ କିଛି କହିପାରିବି ନାହିଁ । ମୋର ହିନ୍ଦୁ ଧର୍ମ ସମ୍ପର୍କରେ କୌଣସି ଜ୍ଞାନ ନାହିଁ ।