ଆସନ୍ତାକାଲି ଆସିବ ସେପ୍ଟେମ୍ୱର ଗାଇଡଲାଇନ୍: ହଟିପାରେ ସପ୍ତାହାନ୍ତ ସଟ୍‌ଡାଉନ୍

ଭୁବନେଶ୍ୱର: ସେପ୍ଟେମ୍ବରରେ କେତେ କଟକଣା, କେତେ କୋହଳ । ଆସନ୍ତାକାଲି ଆସିବ ଗାଇଡ୍‌ଲାଇନ୍‌ । କଟକ, ଭୁବନେଶ୍ୱର, ପୁରୀ ସହରରେ ସପ୍ତାହାନ୍ତ ସଟଡାଉନ୍‌ ଉଠିବା ସହ କଟକଣା ଅଧିକ କୋହଳ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି । ଏହାସହ ଆଗକୁ ପାର୍ବଣ ଆସୁଥିବାରୁ ସ୍ୱତନ୍ତ୍ର ଗାଇଡ୍‌ଲାଇନ ଆସିବ । ସେପଟେ ସମ୍ପୂର୍ଣ୍ଣ କୋହଳ ନୁହେଁ, କଟକଣା ଭିତରେ ନୂଆ ଗାଇଡ୍‌ଲାଇନ୍‌ ଆଣିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଖସୁଛି ସଂକ୍ରମଣ, ୧ ପ୍ରତିଶତ ତଳେ ଟିପିଆର । ଅଧିକ କୋହଳ ହୋଇପାରେ କଟକଣା । ପାର୍ବଣ ପାଇଁ ଆସିବ ନୂଆ ନିୟମ ।

ଅଧିକ ଖୋଲିବ, ରହିବ କମ୍‌ କଟକଣା । ସଂକ୍ରମଣ, ଲୋକଙ୍କ ବ୍ୟବହାର, ପଜିଟିଭିଟି ହାର, କେନ୍ଦ୍ର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡ୍‌ଲାଇନ ଏବଂ ବିଶେଷଜ୍ଞଙ୍କ ମତ ଆଧାରରେ ରାଜ୍ୟ ସରକାର ଆଣିବେ ସେପ୍ଟେମ୍ବର ଗାଇଡ୍‌ଲାଇନ । ତେବେ ଏହା ପୂର୍ବରୁ ଆସିଛି ଆଶ୍ୱସ୍ତିକର ଖବର । ରାଜ୍ୟର ପଜିଟିଭିଟି ହାର ୧ପ୍ରତିଶତ ଓ ଦୈନିକ ସଂକ୍ରମଣ ୬ଶହକୁ ଖସିଛି । ଏବେବି ତୃତୀୟ ଲହର ଆଶଙ୍କା ଥିବାରୁ ସଂପୂର୍ଣ୍ଣ କଟକଣା କୋହଳ ସପକ୍ଷରେ ନାହାନ୍ତି ରାଜ୍ୟ ସରକାର । ପାର୍ବଣ ଯୋଗୁଁ ସଂକ୍ରମଣ ବଢିବା  ଭୟ ଥିବାରୁ ସ୍ୱତନ୍ତ୍ର ଗାଇଡ୍‌ଲାଇନ ଅଣାଯିବ ।

କଟକ, ଭୁବନେଶ୍ୱରରେ ଓ ପୁରୀରେ ସପ୍ତାହାନ୍ତ ସଟଡାଉନ୍‌ କଟକଣା ହଟାଯାଇପାରେ । ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲିପାରେ ଦୋକାନ ବଜାର । ରେଷ୍ଟୁରାଣ୍ଟ ଖୋଲିବାର ସମୟ ସୀମା ବି କୋହଳ ହୋଇପାରେ । ତେବେ ରାତ୍ରିକାଳୀନ କଟକଣା ଜାରି ରହିବା ସହ ସାଂସ୍କୃତିକ, ଧାର୍ମିକ, ରାଜନୈତିକ କଟକଣା ଜାରି ରହିପାରେ । ଅନ୍ୟପଟେ କେତେକ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ପାର୍ବଣ ପାଇଁ କଟକଣା ରହିବ । ଅଧିକ ଲୋକ ଏକାଠି ନହେବା ନେଇ କଟକଣା ଜାରି କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୮୩୪ ଜଣ କରୋନା ସଂକ୍ରମିତ ସୁସ୍ଥ

Leave a Reply