ସରପଞ୍ଚଙ୍କ ବାପାଙ୍କ ଉପରକୁ ପ୍ରଥମେ ବୋମାମାଡ ଓ ପରେ ଗୁଳିମାଡ

ବ୍ରହ୍ମପୁର : ସରପଞ୍ଚଙ୍କ ବାପାଙ୍କ ଉପରକୁ ପ୍ରଥମେ ବୋମାମାଡ ଓ ପରେ ଗୁଳିମାଡ। ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ସୁନାନ୍ତର ଗାଁରେ ବୋମାମାଡ ସହିତ ଗୁଳି ମାଡ ହୋଇଛି । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ସରପଞ୍ଚଙ୍କ ବାପା ନିରଞ୍ଜନ ଜେନା ଓରଫ କାଳିଆ ଘର ସମ୍ମୁଖରେ ଥିବା ପୋଖରୀ କୂଳରେ ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଶେରଗଡ ପଟୁ ୩ଟି ବାଇକରେ ପ୍ରାୟ ୬ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘଟଣାସ୍ଥଳରେ ପହଞ୍ଚି କାଳିଆଙ୍କ ଉପରକୁ ୫ ରୁ ୬ଟି ବୋମାମାଡ କରିଥିଲେ। ବୋମାମାଡ ଦେଖି କାଳିଆ ଦୌଡି ପଳାଇବାରୁ ଦୁର୍ବୃତ୍ତ ମାନେ ଗୁଳିମାଡ କରିଥିଲେ। ଗୁଳିମାଡରେ କାଳିଆ ଆହତ ହୋଇଛି । ବୋମାମାଡ ଓ ଗୁଳିମାଡ଼ ଶବ୍ଦ ଶୁଣି କାଳିଆଙ୍କ ପୁତୁରା ମନୁ ଆସି ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ହେଲେ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ବୋମାମାଡ଼ କରିଥିଲେ । ବୋମାମାଡ ଓ ଗୁଳିମାଡ ପରେ ଦୁର୍ବୃତ୍ତ ମାନେ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଛନ୍ତି। କାଳିଆଙ୍କୁ ଗ୍ରାମବାସୀ ଘଟଣାସ୍ଥଳରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। କେଉଁ କାରଣରୁ ଆକ୍ରମଣ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଘଟଣାସ୍ଥଳରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର, ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା, ହିଞ୍ଜିଳି ଥାନାଧିକାରୀ ଶ୍ରୀନିବାସ ସେଠୀଙ୍କ ସହିତ ଶେରଗଡ ଥାନାର ଏଏସଆଇ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।