ରାତିରେ ବି ଶୁଆଇ ଦେବନି ତାତି, ଉଷ୍ମ ରାତି ପାଇଁ ବିଭିନ୍ନ ଜିଲ୍ଲାକୁ ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଦୁଇଦିନ ଅନୁଭୁତ ହେବ ଅସ୍ବାଭାବିକ ପାଗ । ଦିନରେ ସିଭିୟର ହିଟଓ୍ବେଭ୍ ସହିତ ରାତିରେ ହେବ ପ୍ରବଳ ତାତି । ଉଷ୍ମ ରାତି ପାଇଁ ଚେତାବନୀ ଦେଇଛି ପାଣିପାଗ କେନ୍ଦ୍ର । ଏଥିପାଇଁ ସମ୍ବଲପୁର, ବରଗଡ, ବଲାଙ୍ଗୀର, ଝାରସୁଗୁଡା ଏବଂ ସୋନପୁରକୁ ସତର୍କତା ଜାରି ହୋଇଛି । ରାତିରେ ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରୀ ଉପରେ ରହିବ ପାରଦ । ଖରାରୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ସିଭିୟର ହିଟଓ୍ବେଭ ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୂଆପଡା ଏବଂ ସୁନ୍ଦରଗଡରେ ସ୍ବାଭାବିକ ଠାରୁ ୬.୫ ଡିଗ୍ରୀରୁ ଅଧିକ ରହିବ ତାପମାତ୍ରା ।

ଆସନ୍ତାକାଲି ୯ ଜିଲ୍ଲା, ୧୭ ତାରିଖରେ ୧୨ ଏବଂ ୧୮ ତାରିଖରେ ୮ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରିଛନ୍ତି ଏସଆରସି । ସେପଟେ ଆସନ୍ତା ୧୮ ରୁ ୨୧ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ହୋଇଛି । ପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ମୌସୁମୀ ସକ୍ରିୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ଭୀଷଣ ବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ ପରେ ଓଡ଼ିଶାକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ । ୧୭ ତାରିଖରୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବ ।