ରାତିରେ ବି ଶୁଆଇ ଦେବନି ପ୍ରବଳ ତାତି, ୪୮ ଘଣ୍ଟା ପର୍ଯ୍ୟନ୍ତ ଉଷ୍ମ ରାତି ପାଇଁ ଚେତାବନୀ

ଭୁବନେଶ୍ୱର: ଦିନରେ ସିଭିୟର ହିଟଓ୍ବେଭ୍ । ରାତିରେ ବି ପ୍ରବଳ ତାତି । ୪୮ ଘଣ୍ଟା ପର୍ଯ୍ୟନ୍ତ ଉଷ୍ମ ରାତି ପାଇଁ ଚେତାବନୀ । ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ଏବଂ ସୋନପୁରକୁ ସତର୍କତା ଜାରି । ରାତିରେ ସ୍ବାଭାବିକ ଠାରୁ ୪ରୁ ୫ ଡିଗ୍ରୀ ଉପରେ ରହିବ ପାରଦ । ଅନୁଭୁତ ହେବ ଅସ୍ବାଭାବିକ ପାଗ । ଲଗାତାର ଦୁଇ ସପ୍ତାହରୁ ଅଧିକ ସମୟ ଧରି ରାଜ୍ୟରେ ରାଜ୍ କରୁଛି ତାତି । ସୂର୍ଯ୍ୟ ଉଇଁଲେ ଲାଗୁଛି ଅଘୋଷିତ କର୍ଫ୍ୟୁ । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୪ ଘଣ୍ଟା ପର୍ଯ୍ୟନ୍ତ ସିଭିୟର ହିଟଓ୍ବେଭ ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୂଆପଡା ଏବଂ ସୁନ୍ଦରଗଡରେ ସ୍ବାଭାବିକ ଠାରୁ ୬.୫ ଡିଗ୍ରୀରୁ ଅଧିକ ରହିବ ତାପମାତ୍ରା । ୧୬ ତାରିଖରେ ୯ ଜିଲ୍ଲା, ୧୭ ତାରିଖରେ ୧୨ ଜିଲ୍ଲା ଏବଂ ୧୮ ତାରିଖରେ ୮ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଆସନ୍ତା ୧୮ ରୁ ୨୧ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ହୋଇଛି । ପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ମୌସୁମୀ ସକ୍ରିୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମୌସୁମୀ ପ୍ରବେଶ କରିଥିବା ବେଳେ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଅବଶିଷ୍ଟ ଅଞ୍ଚଳକୁ ଖୁବଶୀଘ୍ର ମୌସୁମୀ ଛୁଇଁବ । ଆରବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ ପରେ ଓଡ଼ିଶାକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ । ଏହାସହ ପଶ୍ଚିମା ଉଷ୍ମ ବାୟୁ ପ୍ରବାହ କମିବ । ଫଳରେ ୧୭ ତାରିଖରୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବ । ଯାହା ମୌସୁମୀକୁ ବାଟ କଢେଇବ ବୋଲି ଆକଳନ କରାଯାଇଛି ।

ଦିନ ସହ ରାତିରେ ତାତି ବଢିବା ନେଇ ପାଣିପାଗ କେନ୍ଦ୍ରର ଆକଳନ ପରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ବୟସ୍କ, ଶିଶୁ, ରୋଗୀ ଏବଂ ଗୃହପାଳିତ ପଶୁଙ୍କୁ ଖରା ସଂସ୍ପର୍ଶରେ ନ ଆଣିବାକୁ ପରାମର୍ଶ ଦିଆଯାଇଛି ।