ଏସଆଇ ଚାକିରୀ ସ୍କାମରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଫର୍ଦ୍ଦ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ସ୍କାମରେ ସାମନାକୁ ଆସିଛି ନୂଆ ଦିଗ। ସ୍କାମର ମୁଖ୍ୟ ଖଳନାୟକ ହେଉଛନ୍ତି ବ୍ରହ୍ମପୁରର ଶଙ୍କର ପୃଷ୍ଟି। ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ପଞ୍ଚସଫ୍ଟର ମାଲିକ ହେଉଛନ୍ତି ଶଙ୍କର ପୃଷ୍ଟି। ୨୦୨୪ରେ ପୋଲିସ ଏସଆଇ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିବା ପରେ ପ୍ରକ୍ରିୟାର ଦାୟିତ୍ବ ନେଇଥିଲା ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ଼ ବା ଓପିଆରବି। ସେତେବେଳେ ଓପିଆରବିର ଅଧ୍ୟକ୍ଷ ଥିଲେ ଆଇପିଏସ୍ ସନ୍ତୋଷ ଉପାଧ୍ୟାୟ। ପରୀକ୍ଷା ପରିଚାଳନା ପାଇଁ ଓପିଆରବି ଦାୟିତ୍ବ ଦେଇଥିଲା କେନ୍ଦ୍ର ସରକାରଙ୍କ ପିଏସୟୁ ଗୁଜୁରାଟର ଆଇଟିଆଇ ସଂସ୍ଥାକୁ। ଆଇଟିଆଇ ଗୁଜୁରାଟର ଆଉ ଏକ ସଂସ୍ଥା ରିଚ୍ ମାଇନସ ଡ଼ିଜିଟାଲକୁ ଏହି ଦାୟିତ୍ବ ଦେଲା। ହେଲେ ଏପ୍ରିଲ ୨୦୨୫ରେ ଓପିଆରବି ଅଧ୍ୟକ୍ଷ ପଦରୁ ସନ୍ତୋଷ ଉପାଧ୍ୟାୟ ଇସ୍ତଫା ଦେବା ପରେ ସୁଶାନ୍ତ ନାଥ ଅଧ୍ୟକ୍ଷ ଦାୟିତ୍ବ ସମ୍ଭାଳିଲେ। ଏହା ପରେ ବଦଳିଗଲା ଓପିଆରବି ଅଧିନରେ ପୋଲିସ ଏସ୍ଆଇ ପରୀକ୍ଷା ଦାୟିତ୍ବରେ ଥିବା ସଂସ୍ଥା। ଆଇଟିଆଇ ରିଚ୍ ମାଇନସ ଡ଼ିଜିଟାଲ ବଦଳରେ ଭୁବନେଶ୍ବରର ସିଲିକନ ଟେକ ଲାବକୁ ଦେଲା ପରୀକ୍ଷା ପରିଚାଳନା ଦାୟିତ୍ବ। ସିଲିକନ ଟେକଲାବ ନିଜେ ନକରି ପରୀକ୍ଷା ଦାୟିତ୍ବ ସବଲେଟରେ ବ୍ରହ୍ମପୁରର ପଞ୍ଚସଫ୍ଟ ସଂସ୍ଥାକୁ ଦେଲା। ଏହି ସଂସ୍ଥାର ମାଲିକ ହେଉଛନ୍ତି ଶଙ୍କର ପୃଷ୍ଟି। ଶଙ୍କରଙ୍କ ସହ ଶାସକ ଦଳ ନେତା ଓ ସରକାରୀ ବାବୁଙ୍କ ସମ୍ପର୍କ ଥିବାରୁ ଏତେ ବଡ଼ ଦୁର୍ନୀତି ହେଲା ବୋଲି ବିଜେଡ଼ି ଅଭିଯୋଗ କରିଛି। ଏହାର ବିଧିବଦ୍ଧ ତଦନ୍ତ ହେଲେ ସବୁ କିଛି ସାମନାକୁ ଆସିବ ବୋଲି କହିଛନ୍ତି ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ। ଇପ୍ସିତାଙ୍କ ଅଭିଯୋଗର ଜବାବ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି । ସେ କହିଛନ୍ତି ଆମ ଦଳର ଯଦି ସମ୍ପୃକ୍ତି ଥାନ୍ତା, ତେବେ ଆମେ ପରୀକ୍ଷା କରିନଥାନ୍ତୁ| ଯଦି କେଳେଙ୍କାରୀରେ ଥାନ୍ତୁ ତେବେ ପରୀକ୍ଷା କାହଁକି ବନ୍ଦ କରିଥାନ୍ତୁ ବୋଲି ମନମୋହନ କହିଛନ୍ତି।

ଚାକିରୀ ସ୍କାମ ବାବଦରେ ଆଉ ଏକ ଖୁଲାସା କରିଛି ଷ୍ଟୁଡ଼େଣ୍ଟ ଏଗେନେଷ୍ଟ କରପସନ୍। ଏସଆଇ ଚାକିରୀ କେଲଙ୍କାରୀରେ ପୂର୍ବତନ ଡ଼ିଆଇଜିଙ୍କ ପୁଅ ରହିଛନ୍ତି। ଯେଉଁ ୧୧୭ ଜଣଙ୍କୁ ପୋଲିସ ଗିରଫ କରିଛି ତାଙ୍କ ଭିତରୁ ୬୬ନମ୍ବରରେ ଅମୀୟ କୁମାର ବେହେରା ଅଛନ୍ତି। ସେ ପୁର୍ବତନ ଜେଲ ଡ଼ିଆଇଜି କୁଳମଣି ବେହେରାଙ୍କ ପୁଅ। କୁଳମଣି ବେହେରା ଚାରି ମାସ ତଳେ ଚାକିରିରୁ  ଅବସର ନେଇଛନ୍ତି। ସୁଶାନ୍ତ କୁମାର ନାଥ ଓପିଆରବି ଅଧ୍ୟକ୍ଷ ସହିତ ଜେଲ ବିଭାଗର ଡ଼ିଜି ଦାୟିତ୍ବ ତୁଲାଉଥିବା ବେଳେ ତାଙ୍କ ବିଭାଗର ଅବସରପ୍ରାପ୍ତ ଡିଆଇଜିଙ୍କ ପୁଅ ପ୍ରଶ୍ନପତ୍ର ରାକେଟରେ ଧରା ପଡିଥିବାରୁ ଏହି କାରବାରରେ ବହୁତ ବଡ଼ ବଡ଼ ଚେହେରା ରହିଥିବା ସନ୍ଦେହ ଘନିଭୁତ ହୋଉଛି। ଏମାନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନ ନେବ କି ବୋଲି ପ୍ରଶ୍ନ ଉଠିଛି। ନିରପେକ୍ଷ ତଦନ୍ତ ପାଇଁ ଆଇନଜୀବି ଦାବି କରିଥିବା ବେଳେ ସମୀକ୍ଷକ କହିଛନ୍ତି, ପୋଲିସ ବିଭାଗରେ ଚାକିରୀ ପାଇଁ ପୋଲିସ ବାବୁମାନଙ୍କ ହାତରେ ଦାୟିତ୍ବ ଦିଆଯାଇଥିବା ବେଳେ ଏଭଳି ଦୁର୍ନୀତି ଅକ୍ଷମଣୀୟ ଅପରାଧ ବୋଲି ସମୀକ୍ଷକ କହିଛନ୍ତି।

୧୫ ମାସର ସରକାରରେ ୧୬ ପରୀକ୍ଷା ବାତିଲ। ପରୀକ୍ଷା ଅନିୟମିତତା ପାଇଁ ବିଜେପି ସରକାର ନୂଆ ଆଇନ ଆଣି ଦୋଷୀଙ୍କ ବିରୋଧରେ କୋଟିଏ ଟଙ୍କା ଜରିମାନା ଓ ଜେଲଦଣ୍ଡର ବ୍ୟବସ୍ଥା ହୋଇଥିଲା। ହେଲେ ୧୬ ପରୀକ୍ଷା ବାତିଲ ହୋଇଥିଲେ ବି କାହା ବିରୋଧରେ ନୂଆ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ବାଲେଶ୍ବରରେ କନିଷ୍ଟ ଯନ୍ତ୍ରୀଙ୍କ ପରୀକ୍ଷାରେ ଆଶାୟୀ ଓ ଦଲାଲଙ୍କୁ ଗିରଫ କରିଥିଲା ପୋଲିସ। ଏସଆଇ ପରୀକ୍ଷାରେ ବି ଲାଞ୍ଚ ଦେବା ବାଲା ଗିରଫ ହୋଇଛନ୍ତି, ହେଲେ ଲାଞ୍ଚ ନେବା ବାଲା ଧରାଛୁଆଁ ଦେଉନାହାନ୍ତି।