spot_img

Latest Posts

ରାଜ୍ୟରେ ବଢିଲା ବୁଥ୍ ସଂଖ୍ୟା, ଏଣିକି ପ୍ରତି ବୁଥରେ ସର୍ବାଧିକ ୧୨ଶହ ଭୋଟର

ଭୁବନେଶ୍ବର : ରାଜ୍ୟରେ ବଢିଲା ବୁଥ୍ ସଂଖ୍ୟା। ଏଣିକି ପ୍ରତି ବୁଥରେ ସର୍ବାଧିକ ୧୨ଶହ ଭୋଟର। ୩୬ ହଜାରରୁ ୪୩ ହଜାରକୁ ବଢିଲା ବୁଥ୍ ସଂଖ୍ୟା। ସବୁ ବୁଥରେ ବୁଥ୍ ସ୍ତରୀୟ ଅଧିକାରୀ ନିଯୁକ୍ତି ହେବା ସହ ପ୍ରଶିକ୍ଷଣ ବି ସରିଛି। ହେଲେ ଏବେ ସମସ୍ତଙ୍କ ନଜର ରାଜ୍ୟରେ ଲାଗୁ ହେବାକୁ ଥିବା ଏସଆଇଆର୍ ବା ସ୍ବତନ୍ତ୍ର ସଘନ ସଂଶୋଧନ ଉପରେ। ୨୦୦୨ ଓ ୨୦୨୫ ଭୋଟର ତାଲିକାରେ ଯେଉଁମାନଙ୍କ ନାମ ଥିବା ସେମାନଙ୍କର ଭେରିଫିକେସନ ଦରକାର ନାହିଁ ବୋଲି ଅତିରିକ୍ତ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି। ୨୦୦୨ରେ ନାମ ଥିବା ଭୋଟରଙ୍କ ପୁଅ, ଝିଅଙ୍କ ନାମ ଯଦି ୨୦୨୫ ତାଲିକାରେ ଥାଏ, ସେମାନଙ୍କୁ ମଧ୍ୟ ଭେରିଫିକେସନ ଆବଶ୍ୟକ ନାହିଁ। ୨୦୦୨ ଏବଂ ୨୦୨୫ ଭୋଟର ତାଲିକା ଇଣ୍ଟିଗ୍ରେଟ କରାଯାଇଛି। ଏଥିରୁ ୭୦ ପ୍ରତିଶତ ମ୍ୟାପିଙ୍ଗ ସରିଛି। ଯେଉଁ ଭୋଟର ମାନେ ମ୍ୟାପିଙ୍ଗ ପ୍ରକ୍ରିୟାରେ ଆସିବେ ନାହିଁ ସେମାନଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଧାର୍ଯ୍ୟ ଡକୁମେଣ୍ଟ ଦେବାକୁ ପଡ଼ିବ। ମୁଖ୍ୟତଃ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ରଖିବା ସୁନିଶ୍ଚିତ କରିବା ସହ ଅଯୋଗ୍ୟ ଭୋଟରଙ୍କୁ ବାଦ୍ ଦେବା ଏସ୍ଆଇଆରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ଏସ୍ଆଇଆରକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହେଉଥିବାରୁ ଓଡ଼ିଶାରେ ଲାଗୁ ହେବା ପୂର୍ବରୁ ଏହାକୁ ନେଇ ଆଶା ଆଶଙ୍କା ପ୍ରକାଶ ପାଇଛି। ଶାସକ ବିଜେପି ଏସଆଇଆରକୁ ସ୍ବାଗତ କରିଥିବା ବେଳେ ମଝିରେ ମଝିରେ ଭୋଟର ତାଲିକା ଅନୁଧ୍ୟାନ ଜରୁରୀ ବୋଲି କହିଛି। ବୁଥ୍ ସଂଖ୍ୟା ବୃଦ୍ଧିକୁ ବିଜେଡି, ବିଜେପି ଓ କଂଗ୍ରେସ ସମସ୍ତେ ସ୍ବାଗତ କରିଛନ୍ତି । ଏସ୍ଆଇଆର୍ ନାମରେ ରାଜନୀତି କରାନଯାଉ ବୋଲି ବିଜେଡି ଓ କଂଗ୍ରେସ କହିଥିବା ବେଳେ କେବଳ ଶାସକ ଦଳକୁ ସୁହାଇଲା ଭଳି ନିଷ୍ପତ୍ତି ହେଲେ ଏହାକୁ ବିରୋଧ କରାଯିବ ବୋଲି ବିଜେଡି କହିଛି। ମାର୍ଚ୍ଚ ମାସ ପରେ ଓଡ଼ିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ୨୦୦୨ ଓ ୨୦୨୫ ମଧ୍ୟରେ ଥିବା ଭୋଟର ତାଲିକା ମ୍ୟାପିଙ୍ଗ କାର୍ଯ୍ୟ ସାରିବାକୁ ଜୋରଦାର କାମ ଚାଲିଛି।

Latest Posts

Don't Miss