ଶୀତଳଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର, ସରିଲା ବାବା ବାଲୁଙ୍କଶ୍ବରଙ୍କ ନିର୍ବନ୍ଧ

ସମ୍ବଲପୁର : ବାବା ବାଲୁଙ୍କେଶ୍ବରଙ୍କ ସରିଲା ନିର୍ବନ୍ଧ । ପତରପେଣ୍ଡିରେ କନ୍ଯା ଅନ୍ବେଷଣ ସହ ନିର୍ବନ୍ଧ କଲେ ସପ୍ତଋଷି । ପୂଜାର୍ଚ୍ଚନା ପରେ ସମ୍ବଲପୁର ବାଲୁଙ୍କେଶ୍ବର ମହାଦେବଙ୍କ ପାଇଁ ବିଶାଳ ପଟୁଆରରେ କନ୍ଯା ଅନ୍ବେଷଣରେ ବାହାରିଥିଲେ ସପ୍ତଋଷି । ନନ୍ଦପଡ଼ାରେ ରହୁଥିବା ଝାରସୁଗୁଡ଼ା ବାସିନ୍ଦା ପ୍ରତାପ ନନ୍ଦଙ୍କ ଘରେ ପହଞ୍ଚି ତାଙ୍କ କନ୍ଯାଙ୍କୁ ଦେଖିଥିଲେ । ଦେବାଧିଦେବ ମହାଦେବଙ୍କ ମହାନତା, ଉଦାରତା, ବିଷୟରେ କନ୍ୟା ମାତାପିତାଙ୍କୁ ଅବଗତ କରାଇ ପାର୍ବତୀଙ୍କ ହାତ ମାଗିଥିଲେ । କନ୍ଯା ପିତାମାତାଙ୍କ ସମ୍ମତି ପରେ ଆରମ୍ଭ ହୋଇଥିଲା ନିର୍ବନ୍ଧ ପର୍ବ । ବର ପିତା ସର୍ଗିପତ୍ର ବିଡା ସହ କିଛି ଫଳ, ପୁଷ୍ପ କନ୍ୟା ପିତାମାତାଙ୍କୁ ପ୍ରଦାନ କରି ସ୍ଥିର କରିଥିଲେ ନିର୍ବନ୍ଧ  ।

ମହାଦେବଙ୍କ ନିର୍ବନ୍ଧ ପର୍ବରେ ଦୁଲୁକିଥିଲା ସାରା ସହର । ପଞ୍ଚ ବାଦ୍ଯ ସହ ଶଙ୍ଖ, ମହୂରୀ ଓ ପାରମ୍ପରିକ ନାଚରେ ବାହାରିଥିଲା ଶୋଭାଯାତ୍ରା । ବାବା ବାଲୁଙ୍କେଶ୍ବରଙ୍କ ନିର୍ବନ୍ଧ ସରିଥିବାବେଳେ ଝାଡୁଆପଡ଼ାର ବାବା ଲୋକନାଥ ଓ ମୁଦିପଡାର ଜାଗେଶ୍ବର ବାବାଙ୍କ ମଧ୍ଯ ପତରପେଣ୍ଡି ପାଇଁ ଦୁଲୁକୁଛି ସମ୍ବଲପୁର । ୨୯ରେ ସହରର ଅନ୍ଯ ମହାଦେବ ମନ୍ଦିରରେ ପତରପେଣ୍ଡି କରାଯିବ । ଦେବ ବିବାହରେ ସାମିଲ ହେବେ ଦେବତା, ଦାନବ, ଯକ୍ଷ, ଗନ୍ଧର୍ବ ଓ କିନ୍ନର । ନିର୍ବନ୍ଧ ସରିଥିବାରୁ ସମସ୍ତ ଦେବୀ ଦେବତାଙ୍କୁ ନିମନ୍ତ୍ରଣ କରିବେ ନୃସିଂହ ଭଗବାନ। ଏଥିପାଇଁ ପାରମ୍ପରିକ ଭାବେ ଆରମ୍ଭ ହୋଇଛି ନୃସିଂହ ନିଉତା ।