ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣକୁ ଆଉ ଏକ ସଫଳତା: ବାହାର ରାଜ୍ୟରେ ଚାକିରି ପାଇଲେ ୧୫ ଆଦିବାସୀ ଯୁବତୀ

1 min read

 ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଆଉ ଏକ ସଫଳତା । କୁଶଳି କରି ଗଢିତୋଳିବା ପରେ ୧୫ ଆଦିବାସୀ ଝିଅ ପାଇଲେ ଚାକିରି । କେରଳର ଏକ ଘରୋଇ ଶିଳ୍ପରେ ଚାକିରି ପାଇବା ପରେ ପ୍ରଥମ କରି ରାଜ୍ୟ ବାହାରକୁ ଯାଇଛନ୍ତି ଆଦିବାସୀ ଯୁବତୀ । ଟ୍ରେନିଂ ନେବା ପରେ ରୋଜଗାର କରିବାକୁ ଯାଇଥିବା ଯୁବତୀମାନଙ୍କ ମୁହଁରେ ଦେଖିବାକୁ ମିଳିଥିଲା ଖୁସି । ମାଗଣା ଖାଇବା ରହିବା ସହ ଟ୍ରେନିଂ ଦେଇ ରାଜ୍ୟ ବାହାରକୁ ଯାଇ ରୋଜଗାର କରିବାର ସୁଯୋଗ ସୃଷ୍ଟି କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଯୁବତୀ ।

ଆଦିବାସୀ ବଣ ପାହାଡ଼ ଘେରା ଉପାନ୍ତ ଅଞ୍ଚଳରୁ କେରଳ ଶିଳ୍ପାଞ୍ଚଳ । ୧୫ ଜଣ ଆଦିବାସୀ ଯୁବତୀ ପାଇଲେ ନିଯୁକ୍ତି  । ସଫଳତା ଦେଉଛି ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ  । ବଣ ମଲ୍ଲୀ ବଣରେ ଫୁଟି ଝଡ଼ିପଡ଼ିବା ଭଳି ଗାଁରେ ରହି ମୂଲ ଲାଗୁଥିଲେ ଆଦିବାସୀ ଝିଅ । ନା ବାହାର ଦୁନିଆ ବିଷୟରେ ଜାଣି ପାରୁଥିଲେ ନା ରୋଜଗାର କରିପାରୁଥିଲେ । ଆଧୁନିକତାର ପାଦରେ ପାଦ ମିଶାଇ ଚାଲିବା ବି ଅସମ୍ଭବ ଥିଲା । କିନ୍ତୁ ରାଜ୍ୟ ସରକାରଙ୍କର ଦକ୍ଷତା ବିକାଶ ଟ୍ରେନିଂ ସେଣ୍ଟର ଦେଲା ନୂଆ ପରିଚୟ । ପାଠ କମ୍ ପଢିଲେ ମଧ୍ୟ ଟ୍ରେନିଂ ନେଇ କୁଶଳୀ ହେବା ପରେ ଚାକିରି ପାଇଛନ୍ତି ଏହି ଯୁବତୀମାନେ । ସେମାନେ ବିମାନରେ ଚଢ଼ିବାକୁ ଲାଇନ୍ ଲଗାଇଛନ୍ତି । ବାହାର ରାଜ୍ୟକୁ ଯିବେ । ରୋଜଗାର କରି ପରିବାର ପୋଷିବେ । ଆଖିରେ ଆଖିଏ ସ୍ୱପ୍ନ ଦେଖିଥିବା ଏହି ଯୁବତୀମାନେ ସୁନ୍ଦରଗଡ ଜିଲ୍ଲାରୁ କେରଳ ଯାଇଛନ୍ତି ।

ନିଯୁକ୍ତିଦାତାଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା । ଗରିବ ପିଲାଙ୍କୁ ଆଣି ମାଗଣା ଖାଇବା ରହିବା ସହ ପିଲାମାନଙ୍କୁ ଦକ୍ଷ କରି ପ୍ରସ୍ତୁତ କରୁଛନ୍ତି ଦକ୍ଷତା ବିକାଶ କର୍ତ୍ତୃପକ୍ଷ । ପ୍ରତିବର୍ଷ ରାଜ୍ୟରୁ ପାଖାପାଖି ୫ ହଜାର ପିଲାଙ୍କୁ କୁଶଳୀ କରିବା ସହ ରାଜ୍ୟ ତଥା ରାଜ୍ୟ ବାହାରେ ନିଯୁକ୍ତି ଦେଉଛି ଦକ୍ଷତା ବିକାଶ ପ୍ରାଧିକରଣ । ରାଜ୍ୟର ୩୦ଟି ଜିଲ୍ଲାରେ ୩୦ଟି ଦକ୍ଷତା ବିକାଶ କେନ୍ଦ୍ର ରହିଥିବା ବେଳେ ପ୍ରତି ବ୍ୟାଚର ପିଲାଙ୍କୁ ଦୁଇ ମାସର ଟ୍ରେନିଂ ଦିଆଯାଉଛି । ପୂର୍ବରୁ ହଜାର ହଜାର ଯୁବକ ଯବତୀ ବେକାର ହୋଇ ରହୁଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏମାନଙ୍କୁ ନୂଆ ପରିଚୟ ଦେଇଛି ।

ଏଥିସହିତ ପଢ଼ନ୍ତୁ: ମୋଦି- ପୁଟିନଙ୍କ ଆଲୋଚନା, ଆଫଗାନିସ୍ତାନ ସଙ୍କଟକୁ ନେଇ ୪୫ ମିନିଟ୍ ବାର୍ତ୍ତାଳପ

Leave a Reply