ଶେଯ ଭିତରେ ଲୁଚିଥିଲା ନାଗ, ଅଳ୍ପକେ ବଞ୍ଚିଲା ଜୀବନ

କଟକ: ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲାର ବାଙ୍କୀ ହରିରାଜପୁର ଗ୍ରାମର ଶରତ ପଣ୍ଡାଙ୍କ  ବେଡ଼ ରୁମରେ ଏକ ସାପ ପଶିବାର ଦେଖି ସ୍ନେକ ହେଲ୍ପ ଲାଇନ କୁ ଫୋନ କରିଥିଲେ । କାଲି ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ଶରତ ବାବୁଙ୍କ ଦୁରାବସ୍ଥା ଦେଖି ସ୍ନେକ ହେଲ୍ପ ଲାଇନ ସଦସ୍ୟ ଲଳିତ ମୋହନ ପଣ୍ଡା ଏବଂ ଦୁର୍ଗା ମାଧବ ମହାପାତ୍ର ତାଙ୍କ ଘରେ ପହଞ୍ଚି ଢେର ଖୋଜାଖୋଜି ପରେ ସାପ କୁ ପାଇଲେ ନାହିଁ । ଖଟ ତଳେ ଅନେକ ଜିନିଷପତ୍ର ଥିଲା, ସେ ସବୁ ତନ୍ନ ତନ୍ନ କରି ଖୋଜିବା ପରେ ମଧ୍ୟ ସାପର ଦେଖା ମିଳିଲା ନାହିଁ । କିନ୍ତୁ ସାପର ଫୁତ୍କାର ଶବ୍ଦ ମଝିରେ ମଝିରେ ଶୁଣିବାକୁ ମିଳୁଥିଲା । ତେଣୁ ଘର ଛାଡ଼ି ମଧ୍ୟ ଆସି ହେଉ ନଥିଲା । ଘର ଲୋକ ସମସ୍ତେ ଖଟ ତଳ ଏବଂ ଆଲମାରୀ ତଳକୁ ଗୁରୁତ୍ୱ ଦେଉଥିଲେ ।

ତେବେ ସବୁ ଆଡୁ ନିରାଶ ହେବା ପରେ ଏକ ପୁରୁଣା ଟିଭି ଉପରେ ସନ୍ଦେହ ଘନୀଭୂତ ହେଲା । କାଳେ ସାପଟି ଟିଭି ଭିତରେ ଥାଇପାରେ ଭାବି, ଲଳିତ ଖଟ ଉପରେ ବସି ଟିଭିଟିକୁ ଖୋଲିବାକୁ ଉଦ୍ୟମ କଲା ବେଳେ ଖଟ କଣରେ ଗଦି ତଳେ କଣ ଗୋଟେ ହଲ୍ ଚଲ୍ ହେବା ଦେଖି ଦୁର୍ଗା ମାଧବ ଚିତ୍କାର କରି ଲଳିତଙ୍କୁ ଖଟ ଉପରୁ ଉଠି ଯିବା ପାଇଁ କହିଲେ । ଲଳିତ କାଳ ବିଳମ୍ବ ନକରି ସଙ୍ଗେ ସଙ୍ଗେ ଖଟ ଉପରୁ ଉଠି ଆସିଥିଲେ । ଏଥି ସହ ଘର ଲୋକଙ୍କୁ ତୁରନ୍ତ ସେହି ଜାଗାରୁ ବାହାରିଯିବାକୁ  ନିର୍ଦେଶ ଦେଲେ ଲଳିତ ।

ଲଳିତ ନିଜର ମୋବାଇଲ ରେ ସୁଟିଂ ଜାରି ରଖିଲେ, ଏବଂ ଦୁର୍ଗା ଅତ୍ୟନ୍ତ ସତର୍କତାର ସହ ସ୍ନେକ ହୁକ ସାହାଯ୍ୟରେ ଗଦିକୁ ଟେକନ୍ତେ, ଏକ ମୋଟା ନାଗ ସାପକୁ ଦେଖିବାକୁ ପାଇଲେ । ସାପଟିକୁ ଆସ୍ତେ ବାହାରକୁ ଆଣିବା ବେଳକୁ ତାର ଲମ୍ବ ଆନୁମାନିକ ୫ ଫୁଟ ବୋଲି ଜଣାଗଲା । ଏକ ନିଶ୍ଚିତ ଦୁର୍ଘଟଣାରୁ ଉଭୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଏବଂ ଶରତ ବାବୁଙ୍କ ଘର ଲୋକ ରକ୍ଷା ପାଇଲେ ।

ନାଗ ସାପଟିକୁ ବାଙ୍କୀ ଠାରୁ ଦୂରରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆ ଯାଇଛି। ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ବାଙ୍କୀରେ ଅନେକ ସ୍ଥାନ ଜଳାର୍ଣ୍ଣବ ହେଇଥିବାରୁ, ଏଇ ନାଗ ସାପ ଟି ବାସହରା ହୋଇ ଶରତ ବାବୁଙ୍କ ଘରକୁ ଆଶ୍ରୟ ନେବା ପାଇଁ ଉଠି ଆସିଥିବ ବୋଲି ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ପ୍ରକାଶ କରିଛନ୍ତି । ମୁଁ ଖଟ ଉପରେ ବସି ଟିଭିକୁ ଖୋଲିଲା ବେଳେ ସାପ ଯେ ମୋ ସାଇଡରେ ଥିଲା ସେଇକଥା ଭାବିଲେ ଏବେ ମଧ୍ୟ ମୋ ଦେହ ଶୀତେଇ ଉଠୁଛି ବୋଳି ଲଳିତ କହିଥିଲେ ।

ବାଙ୍କୀରେ ପ୍ରବଳ ବର୍ଷା ଲାଗିରହିଥିଲା ବେଳେ, ଗତ ୨ ଦିନ ଭିତରେ ପ୍ରାୟ ୮୦ ଟି କରୋନା ପଜିଟିଭ ମଧ୍ୟ ଚିହ୍ନଟ ହେଇଛନ୍ତି । ଏଣୁ ଆମେ ପରିସ୍ଥିତିର ଗୁରତ୍ୱକୁ ବିଚାର କରି ଅଳ୍ପ କିଛି ରେସକ୍ୟୁ କଲ ଆଟେଣ୍ଡ କରୁଛୁ ବୋଲି ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ପ୍ରକାଶ କରିଛନ୍ତି ।

Leave a Reply