ଖାଦ୍ୟ ପ୍ୟାକଟରେ ସାପ ଚମଡ଼ା: ସିଲ୍ ହେଲା ଦୋକାନ

ଥିରୁଭନନ୍ତପୁରମ୍ : ଖାଇବା ପ୍ୟାକେଟରୁ ବାହାରିଲା ସାପ ଚମଡ଼ା । ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଗ୍ରାହକ । କେରଳ ଥିରୁଭନନ୍ତପୁରମରେ ଘଟିଛି ଏହି ଘଟଣା । ଏହା ଅଭିଯୋଗ ହେଲା ପରେ ପ୍ରଶାସନ ଉକ୍ତ ରେଷ୍ଟୁରାଣ୍ଟରେ ତାଲା ପକାଇ ଦେଇଛି ।

ସୂଚନା ଅନୁସାରେ ପ୍ରିୟା ନାମକ ମହିଳା ଗତ ଗୁରୁବାର ଦିନ ରେଷ୍ଟୁରାଣ୍ଟରୁ ଦୁଇଟା ପରଟା ଅର୍ଡର କରିଥିଲେ । ଖାଦ୍ୟ ଡେଲିଭରି ପରେ ମହିଳାଜଣଙ୍କ ତାଙ୍କ ଝିଅକୁ ଖାଇବାକୁ ଦେଇଥିଲେ । ଝିଅ ଗୋଟିଏ ପରଟା ଖାଇ ସାରିବା ପରେ ମହିଳା ଜଣଙ୍କ ଖାଇବା ପାଇଁ ପ୍ୟାକେଟ୍ ଖୋଲିଥିଲେ । ହେଲେ ସେ ଜରି କଭର ଭିତରେ ଏକ ସାପ ଚମଡା ଦେଖିବାକୁ ପାଇଥିଲେ ।

ଏହା ଦେଖି ସେ ଚକିତ ହୋଇଯାଇଥିଲେ । ଏହା ପରେ ମହିଳା ଜଣଙ୍କ ସ୍ଥାନୀୟ ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ୍ ତାଙ୍କୁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ କହିଥିଲେ ।

ମହିଳାଙ୍କର ଅଭିଯୋଗ ପରେ ମ୍ୟୁନିସିପାଲ୍ କର୍ତ୍ତୃପକ୍ଷ ଉକ୍ତ ରେଷ୍ଟୁରାଣ୍ଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ଜଣାପଡ଼ିଥିଲା ଯେ, ରେଷ୍ଟୁରାଣ୍ଟ ନିମ୍ନ ମାନର ଖାଦ୍ୟ ଦେଉଥିଲା । ଏହା ଜଣାପଡ଼ିବା ପରେ ରେଷ୍ଟୁରାଣ୍ଟକୁ ସିଲ୍ କରିଦିଆଯାଇଛି ।