ପୁରୀ : ଭୁଲ ମାଗିଲେ ଶୁଭଙ୍କର । ଶାନ୍ତ ପଡିଲେ ସେବାୟତ ଓ ଶ୍ରଦ୍ଧାଳୁ । ବିଶ୍ୱ ବିଖ୍ୟାତ ଶ୍ରୀମନ୍ଦିରକୁ ନେଇ ଭୁଲ ତଥ୍ୟ ପ୍ରଦାନ କରି ସୋସିଆଲ ମିଡିଆ ଇନଫ୍ଲୁଏନସର ଶୁଭଙ୍କର ମିଶ୍ରା ବିବାଦୀୟ ହୋଇଥିଲେ । ପରେ ଶୁଭଙ୍କର ନିଜର ଭୁଲ ଜାଣିପାରି କ୍ଷମା ପ୍ରାର୍ଥନା କରିଥିଲେ । ଏହପରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଥିବା କ୍ଷୋଭ ଟିକେ ଶାନ୍ତ ପଡ଼ିଛି। ତେବେ ଆଜି କାଲି ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ସୋସିଆଲ ମିଡ଼ିଆକୁ ନେଇ ପ୍ରବଣତା ବଢିଥିବା ବେଳେ ଜଗନ୍ନାଥ ସଂସ୍କୃତିକୁ ନେଇ ଭୁଲ ମତ ଦେବା ଠିକ ନୁହେଁ । ଏଭଳି ଧାର୍ମିକ ସଂସ୍କୃତି ଓ ପରମ୍ପରା ଉପରେ କୌଣସି ବି ମତ ଦେବା ପୂର୍ବରୁ ସମୀକ୍ଷା ଓ ତର୍ଜମା କରିବାର ଆବଶ୍ୟକତା ରହିଛି। ବାରମ୍ବାର ମହାପ୍ରଭୁଙ୍କୁ ନେଇ ଏଭଳି ବିଭ୍ରାନ୍ତିକର ମନ୍ତ୍ୟବ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ଅସମ୍ମାନ ହେଉଥିବା ବେଳେ ଏ ନେଇ ସ୍ୱୟଂ ମହାପ୍ରଭୁ ବିଚାର କରିବେ ବୋଲି ପଣ୍ଡିତ ରଥଶର୍ମା ମତ ରଖିଛନ୍ତି । କାଳିଆ ଠାକୁରଙ୍କୁ ନେଇ ଭୁଲ ତଥ୍ୟ ନଦେବାକୁ ମତ ପ୍ରକାଶ ପାଇଛି । ଏପରି ଭୁଲ ତଥ୍ୟ ପ୍ରଦାନକାରୀଙ୍କ ବିରୁଦ୍ଧରେ ସରକାର କଡ଼ା ଆଇନ ଆଣିବାକୁ ବରିଷ୍ଠ ସେବାୟତ ଗୌରହରୀ ଦାବି କରିଥିବା ବେଳେ ବିଳମ୍ବରେ ପଛେ ଶୁଭଙ୍କର ନିଜ ଭୁଲ ନେଇ କ୍ଷମା ମାଗିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି ।
ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ଵାବ୍ୟାପି ପରିବ୍ୟାପ୍ତି ରହିଥିବା ବେଳେ ସେହି ମହାନ ସଂସ୍କୃତିକୁ ନେଇ ଅପପ୍ରଚାର କରିବା ଯୁକ୍ତିଯୁକ୍ତ ନୁହେଁ। ପୁରୀର ଅନେକ ବୁଦ୍ଧିଜୀବୀ ଏପରି ଘଟଣାକୁ ନେଇ ନିନ୍ଦା କରିଥିବା ବେଳେ ସରକାର ଧାର୍ମିକ ଭାବନାକୁ ନେଇ ଥିବା ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମତ ପ୍ରକାଶ ପାଇଛି । ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଶାସ୍ତ୍ରରେ ସଠିକ ଲେଖା ରହିଥିବା ବେଳେ କାହା କଥାରେ ବା ଗୁଗୁଲରୁ ତଥ୍ୟ ନେଇ ଭୁଲ ତଥ୍ୟ ଉପସ୍ଥାପନ କରିବା ଠିକ ନୁହେଁ । ନିଜ ଭୁଲ ମାନିଥିବାରୁ ଶୁଭଙ୍କରଙ୍କୁ କାଳିଆ ଚାହିଁଲେ କ୍ଷମା କରିବେ ବୋଲି ଶ୍ରୀମନ୍ଦିର ଚୂନରା ସେବକ ତଥା ୟୁଟୁବର ମତ ରଖିଛନ୍ତି। ଭୁଲ ତଥ୍ୟ ପ୍ରକାଶ କରି ଶୁଭଙ୍କରଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତି କ୍ଷମା ମାଗିବା କିଛି ଛୋଟ କଥା ହୋଇ ନଥିବା ବେଳେ ଏଭଳି ଘଟଣା ଏବେ ଆତ୍ମ ସମୀକ୍ଷାର ବିଷୟ ବୋଲି ବିବେଚନା କରାଯାଏ ।

