ପୁଅଙ୍କ ଅପେକ୍ଷା କମିଛି ଝିଅଙ୍କ ସଂଖ୍ୟା

ଭୁବନେଶ୍ବର: ଉଦବେଗ ବଢାଇଲା ଗତ ୪ ବର୍ଷର ରିପୋର୍ଟ । ରାଜ୍ୟରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । ଝିଅ ସଂଖ୍ୟା ହ୍ରାସରେ ୬ ନମ୍ବର ସ୍ଥାନରେ ଓଡିଶା ରହିଥିବା ରିପୋର୍ଟରୁ ଜଣାପଡ଼ିଛି । ଗତ ୪ ବର୍ଷରେ ୨୩ ପ୍ରତିଶତ କମିଛି ଝିଅଙ୍କ ସଂଖ୍ୟା । ପ୍ରତି ୧ ହଜାର ପୁଅରେ ଝିଅଙ୍କ ସଂଖ୍ୟା ରହିଛି ୯୨୫। ଉପାନ୍ତ ଅପେକ୍ଷା ଉପକୂଳ ଜିଲ୍ଲାରେ ସ୍ଥିତି ସଂଗୀନ ବୋଲି ରିପୋର୍ଟରେ କୁହାଯାଇଛି । ୧୦୦୦ ପୁଅଙ୍କ ତୁଳନାରେ ଝିଅଙ୍କ ହାର ବିଭିନ୍ନ ଜିଲ୍ଲାରେ ଯଥା କେନ୍ଦ୍ରାପଡ଼ାରେ ସର୍ବାଧିକ ୮୯୮ ରହିଛି । ସେହିପରି ନୟାଗଡ଼ରେ ଝିଅଙ୍କ ହାର ୮୧୧ ରହିଛି  ।

ଅନ୍ୟ ଜିଲ୍ଲା ଯେପରିକି ଢେଙ୍କାନାଳରେ ୮୬୫, ସୋନପୁର ୮୮୦, ଅନୁଗୁଳ ୮୮୫, ଜଗତସିଂହପୁରରେ ୮୯୭ ରହିଛି  । ସେପଟେ ଝିଅ ସଂଖ୍ୟା ବୃଦ୍ଧି ନେଇ ସ୍ବାସ୍ଥ୍ୟ ବିଭାଗର କର୍ମଶାଳା ଆୟୋଜିତ ହୋଇଛି । କର୍ମଶାଳାରେ ଡାକ୍ତର, ସମାଜିକ ବିଜ୍ଞାନୀ, ସବୁ ଜିଲ୍ଲାର ଜନସ୍ଵାସ୍ଥ୍ୟ ଅଧିକାରୀ ଏବଂ ଆଇନ ବିଶେଷଜ୍ଞ ଯୋଗ ଦେଇଛନ୍ତି । ଲିଙ୍ଗ ନିରୂପଣ ପରେ ଗର୍ଭପାତ, ପୁତ୍ର ସନ୍ତାନକୁ ପ୍ରାଧାନ୍ୟ ଏବଂ ମାନସିକତାରେ ପରିବର୍ତ୍ତନ ନ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି କର୍ମଶାଳାରେ ମତ ପ୍ରକାଶ ପାଇଛି । କିପରି ଏହି ସଂଖ୍ୟା ବୃଦ୍ଧି ପାଇବ ସେ ନେଇ ଚାଲିଛି ମାନସ ମନ୍ଥନ ।