ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ, ମିଳୁନି ବର୍ଦ୍ଧିତ ଭତ୍ତା କି ଆବାସ ଗୃହ

ସୁବର୍ଣ୍ଣପୁର : ଅସଜଡା, ଅବ୍ୟବସ୍ଥିତ ଜରି ପାଲ ଭିତରେ ପଡି ରହିଛନ୍ତି ଦମ୍ପତି । ଘରର ଅବସ୍ଥା ଏମିତି ସଂକଟାପନ୍ନ ଯେ କେତେବେଳେ କାନ୍ଥରୁ ମାଟି ଖସି ପଡିବ ଠିକଣା ନାହିଁ । ଘର ଭିତରୁ ଜଳଜଳ ହୋଇ ଦିଶୁଛି ଆକାଶ । ଏପରି ଘରେ ଜୀବନ ବିତାଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପାଳିଗାଁର ନକୁଳ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ବେଦୀ ପ୍ରଧାନ । ଦୁଃଖ ଓ ପରିତାପର ବିଷୟ ଆଧାର କାର୍ଡ ଅନୁଯାୟୀ ନକୁଳଙ୍କୁ ୮୫ ବର୍ଷ ହୋଇଥିଲେ ସୁଦ୍ଧା ତାଙ୍କୁ ବର୍ଦ୍ଧିତ ଭତ୍ତା ୩୫ ଶହ ଟଙ୍କା ମିଳୁନାହିଁ । ଘର ଖଣ୍ଡେ ପାଇଁ ସେ ସମସ୍ତଙ୍କ ପାଖରେ ଗୁହାରି କରିସାରିଲେଣି । ହେଲେ କେହି କର୍ଣ୍ଣପାତ କରୁନାହାନ୍ତି । ଏପଟେ ଗରିବଙ୍କ ସରକାର କହି କେବଳ ବାହାସ୍ଫୋଟ ମାରୁଛନ୍ତି ନୂଆ ସରକାର ।
ସରକାରଙ୍କ ନିୟମ ଅନୁସାରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀଙ୍କୁ ମିଳୁଛି ୩୫ ଶହ ଟଙ୍କା । କିନ୍ତୁ ନକୁଳ ଏବଂ ତାଙ୍କ ସ୍ତ୍ରୀଙ୍କୁ ୮୦ ବର୍ଷରୁ ଉର୍ଦ୍ଧ୍ଵ ହେଲେବି ମିଳୁନି ବର୍ଦ୍ଧିତ ଭତ୍ତା । ଆଜି ବି ହଜାରେ ଟଙ୍କା ଭତ୍ତାରେ ଦିନ କାଟୁଛନ୍ତି ଦୁଇ ପ୍ରାଣୀ । ଏହି ପରିବାରକୁ ଘର ଖଣ୍ଡେ ସହ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । କେବଳ ଯେ ଏମାନେ ତା ନୁହେଁ, ଏମିତି ଆହୁରି ଅନେକ ବୃଦ୍ଧବୃଦ୍ଧା ବର୍ଦ୍ଧିତ ଭତ୍ତା ନପାଇ ହନ୍ତସନ୍ତ ହେଉଛନ୍ତି । ଅପରପକ୍ଷେ ଏବେ ଆବାସ ଗୃହ ପାଇଁ ସର୍ଭେ ଚାଲିଛି ବୋଲି କହି ଦୋଷ ଛଡାଇଛନ୍ତି ବୀରମହାରାଜପୁର ବିଧାୟକ । ବୃଦ୍ଧ ଦମ୍ପତିଙ୍କୁ କେବେ ବର୍ଦ୍ଧିତ ଭତ୍ତା ସହ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉଛି ତାହା ଦେଖିବାକୁ ବାକି ରହିଲା ।