ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍, ଦୁଇ ଚକିଆ ଗାଡ଼ି ପାଇଁ ୨୪ଟି ପାର୍କିଂ

ପୁରୀ: ଆସନ୍ତାକାଲି ପବିତ୍ର ଘୋଷଯାତ୍ରା । ଏଥିପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରଥଟଣାକୁ ଶୃଙ୍ଖଳିତ କରିବା ପାଇଁ ସରିଛି ମକଡ୍ରିଲ୍ । ଭିଡ଼ ଭିତରେ ରଥଟଣା, ଇନର ଏବଂ ଆଉଟଡୋର୍ କର୍ଡନ ନେଇ ଅଭ୍ୟାସ କରାଯାଇଛି । ଆଜି ନବଯୌବନ ଦର୍ଶନରେ ୬୦ ପ୍ଲାଟୁନ ଓ ଆସନ୍ତାକାଲି ରଥଯାତ୍ରାରେ ୧୮୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଉଛି ।

ବମସ୍କ୍ୱାଡ୍, ଡଗସ୍କ୍ୱାଡ୍ ସହ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ କରାଯାଇଛି । ଏହା ଆଜି ମଧ୍ୟରାତ୍ରରୁ ୨୧ ତାରିଖ ଯାଏଁ ଲାଗୁ ହେବ । ଭୁବନେଶ୍ୱର ଓ କୋଣାର୍କ ପଟୁ ଆସୁଥିବା ଚାରି ଚକିଆ ଗାଡ଼ି ତାଳବଣିଆ ଓ ଗ୍ରିଡ୍ ଷ୍ଟେସନ ଛକ ଏବଂ ବ୍ରହ୍ମଗିରି ପଟୁ ଆସୁଥିବା ଚାରି ଚକିଆ ଗାଡ଼ି ଫ୍ଲୋରିସ ଇଣ୍ଡିଆରେ ପାର୍କିଂ କରିବ ।

ଦୁଇ ଚକିଆ ଗାଡ଼ି ପାର୍କିଂ ପାଇଁ ୨୪ଟି ପାର୍କିଂ ସ୍ଥାନ ଚିହ୍ନଟ ହୋଇଛି । ୨୪ ଘଣ୍ଟିଆ ଟ୍ରାଫିକ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ଗ୍ରୀନ କରିଡରରେ କେବଳ ଜରୁରିକାଳୀନ ସେବା ବ୍ୟବସ୍ଥା ହୋଇଛି । ସନ୍ଧ୍ୟା ଦର୍ଶନ, ବାହୁଡା, ସୁନାବେଶ ଓ ଅନ୍ୟ ଦିନରେ ଭିଡ଼ ଦେଖି ଟ୍ରାଫିକ ବ୍ୟବସ୍ଥା କରାଯିବ । ରଥଯାତ୍ରା ପାଇଁ ଜଳ, ସ୍ଥଳ ଓ ଆକାଶ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ ।