ଅତ୍ୟଧିକ ଋଣ ଭାର ଯୋଗୁଁ ବନ୍ଦ ହେଲା ବିବାଦୀୟ ସ୍ପାଇଓ୍ୱେର ପେଗାସସ୍ ୟୁନିଟ୍

ନୂଆଦିଲ୍ଲୀ: ସ୍ପାଇଓ୍ୱେର ପେଗାସସ୍ ୟୁନିଟକୁ ବନ୍ଦ କରିବ ଏନଏସଓ ଗ୍ରୁପ । ଅନେକ ସ୍କାଣ୍ଡାଲ ଭିତରେ କମ୍ପାନୀ ଛନ୍ଦି ହୋଇଥିବା ସହ ଏହାର ଅତ୍ୟଧିକ ଋଣ ଭାର ଯୋଗୁ ପେଗାସସ ୟୁନିଟକୁ ବନ୍ଦ କରିବାକୁ ଯୋଜନା କରିଛି ଏନଏସଓ ଗ୍ରୁପ । ଏପରିକି ସମୁଦାୟ କମ୍ପାନୀକୁ ବି ବିକ୍ରି କରାଯାଇପାରେ ବୋଲି ସୂଚନା ମିଳିଛି । ଏନେଇ ଦୁଇଟି ଆମେରିକୀୟ ନିବେଶକ କମ୍ପାନୀ ସହ କଥାବାର୍ତ୍ତା ହୋଇଛି ଏବଂ ଖୁବ୍ ଶୀଘ୍ର ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ବିକ୍ରି ହେବା ପରେ ଏଥିରେ ୨୦୦ ନିୟୁତ ଡଲାର ପୁଞ୍ଜି ନିବେଶ କରାଯିବ ଏବଂ କଡ଼ା ସାଇବର ନିରାପତ୍ତା ସେବା ଭିତ୍ତିରେ କମ୍ପାନୀ ପରିଚାଳିତ ହେବ ।

ପେଗାସସ ସ୍ପାଇଓ୍ୱେର ଜରିଆରେ ବିଶ୍ୱର ଶହ ଶହ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମୋବାଇଲ ହ୍ୟାକ ସ୍କାଣ୍ଡାଲ ପଦାକୁ ଆସିବା ପରେ ଅଡ଼ୁଆରେ ପଡିଥିଲା ଏନଏସଓ ଗ୍ରୁପ । କେବଳ ସରକାରଙ୍କୁ ହିଁ ପେଗାସସ ବିକ୍ରି କରିବାର ନିୟମ ରହିଥିଲେ ବି ଏହା ଜରିଆରେ ରାଜନୈତିକ ନେତା, ମନ୍ତ୍ରୀ, ବିଚାରପତି, ସାମ୍ବାଦିକ ପ୍ରମୁଖଙ୍କ ଫୋନ ହ୍ୟାକ ହୋଇଥିଲା । ଆତଙ୍କବାଦ ଓ ଅପରାଧ ଦମନ ଲାଗି ଏହି ସଫ୍ଟଓ୍ବେର କେବଳ ସରକାରଙ୍କୁ ହିଁ ବିକ୍ରି କରାଯାଇଛି ବୋଲି ଏନଏସଓ ଦାବି କରିଥିଲେ ବି ଆମେରିକା ବାଣିଜ୍ୟ ବିଭାଗ ଏହାକୁ କଳା ତାଲିକାଭୁକ୍ତ କରିଥିଲା । ବ୍ୟବସାୟରେ ଘାଟା ଯୋଗୁ ଏନଏସଓର ଋଣ ପରିମାଣ ୪୫୦ ନିୟୁତ ଡଲାରକୁ ବୃଦ୍ଧି ପାଇଛି ।

Leave a Reply