ସିରାଜ ସାଜିଲେ କାଳ, ୫୦ ରନରେ ଶ୍ରୀଲଙ୍କା ଅଲଆଉଟ୍

କଲମ୍ବୋ: ଏସିଆା କପର ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ । ମାତ୍ର ୫୦ ରନରେ ଅଲଆଉଟ୍ ହେଲା ଶ୍ରୀଲଙ୍କା । ସିରାଜଙ୍କ ଘାତକ ବୋଲିଂ ଆଗରେ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନମାନେ ଧରାଶାୟୀ ହୋଇଛନ୍ତି । ମହମ୍ମଦ ସିରାଜ ୭ ଓଭର ବୋଲିଂ କରିଥିବାବେଳେ ଗୋଟିଏ ଓଭର ମେଡେନ ସହ ୬ ଓ୍ବିକେଟ ଅକ୍ତିଆର କରିଛନ୍ତି । ସେଥିମଧ୍ୟରୁ ଗୋଟିଏ ଓଭର ମେଡେନ ମଧ୍ୟ ରହିଛି । ସେପଟେ ଶ୍ରୀଲଙ୍କାର ମାତ୍ର ୨ଜଣ ଖେଳାଳି ଦୁଇ ଅଛ ଛୁଇଁବାରେ ସକ୍ଷମ ହୋଇଛନ୍ତି । ଦଳର ୫ଜଣ ଖେଳାଳି ଜିରୋରେ ଆଉଟ୍ ହୋଇଛନ୍ତି । ଭାରତ ଆଗରେ ମାତ୍ର ୫୧ ରନର ବିଜୟ ଲକ୍ଷ୍ୟ ରହିଛି । ସିରାଜଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଓ୍ବିକେଟ୍ ଏବଂ ବୁମରା ଗୋଟିଏ ଓ୍ବିକେଟ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି । ଭାରତ ଆଗରେ କମ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୫ ବର୍ଷ ପରେ ପୁଣିଥରେ ଏସିଆ କପ ଟାଇଟଲ ହାସଲ କରିବ ରୋହିତ ବାହିନୀ ।

ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ୧୫ ଓଭର ଦୁଇଟି ବଲରେ ମାତ୍ର ୫୦ ରନ କରି ୧୦ ଓ୍ବିକେଟ ହରାଇଥିଲା ଘରୋଇ ଦଳ । ଶୋଚନୀୟ ବ୍ୟାଟିଂ ସହିତ ଏସିଆ କପରେ ଶ୍ରୀଲଙ୍କା ସର୍ବନିମ୍ନ ରନ କରିଥିଲା । ସେପଟେ ଅବିଶ୍ବସନୀୟ ସିରିଜ ଖେଳିଥିଲେ ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜ । ସିରାଜଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଯାଇଥିଲା ସିଂହଳୀ ଟିମ୍ ।

ପ୍ରଥମ ଓଭରରେ ହିଁ ବୁମରା କୁଶଲ ପରେରାଙ୍କ ଓ୍ବିକେଟ ନେବାପରେ ଜାଦୁ ଦେଖାଇଥିଲେ ସିରାଜ୍ । ଦ୍ବିତୀୟ ଓଭରରେ ଭାଙ୍ଗିଦେଇଥିଲେ ଟିମ ଶ୍ରୀଲଙ୍କାର ଅଣ୍ଟା । ଗୋଟିଏ ଓଭରରେ ୪ଟି ଓ୍ବିକେଟ ନେଇଥିଲେ ସିରାଜ । ପ୍ରଥୁମ ନିଶଙ୍କା, ସଦିରା ସମରବିକ୍ରମା, ଚରିଥ୍ ଅସଲଙ୍କା ଓ ଧନଞ୍ଜୟ ଡିସିଲଭାଙ୍କୁ ପାଭିଲିୟନ ଫେରାଇଥିଲେ । ସେହିପରି ନିଜର ତୃତୀୟ ଓଭରରେ ସନକା ଓ ଷଷ୍ଠ ଓଭରରେ କୁଶଲ ମେଣ୍ଡିସଙ୍କୁ ଆଉଟ୍ କରି ୬ ଓ୍ବିକେଟ ନେଇଥିଲେ ସିରାଜ । ଏହାଛଡ଼ା ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଓ୍ବିକେଟ ନେଇ ଶ୍ରୀଲଙ୍କାକୁ ଅଲଆଉଟ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ ।

୫୧ ରନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ରୋହିତଙ୍କ ବଦଳରେ ଶୁଭମନ ଗିଲଙ୍କ ସହିତ ଓପନିଂ କରିଥିଲେ ଇଶାନ କିଷନ । ଉଭୟ ଅପରାଜିତ ରହି ମାତ୍ର ୬ ଓଭର ଗୋଟିଏ ବଲରେ ମ୍ୟାଚ ଜିତିବା ସହିତ ଭାରତକୁ ଏସିଆ କପ ଭେଟିଦେଇଥିଲେ । ଇଶାନ କିଷନ ୨୩ରନ କରିଥିବାବେଳେ ଗିଲ ୨୭ ରନ କରିଥିଲେ । ଭାରତର ବିଜୟ ପରେ ସାରା ଦେଶରେ ଉତ୍ସବ ଦେଖାଦେଇଛି ।