ଚୀନକୁ ବଡ ଝଟକା, କେବଳ ଇନ୍ଧନ ଭରିବାକୁ ଅନୁମତି ଦେଲା ଶ୍ରୀଲଙ୍କା

1 min read

କଲମ୍ବୋ: ତାଇଓ୍ବାନ-ଚୀନ ଟେନସନ ଭିତରେ ଚୀନକୁ ଝଟକା । ଜାହାଜକୁ ଦୀର୍ଘ ଦିନ ଧରି ହମ୍ବନଟୋଟା ବନ୍ଦରରେ ରଖିବାକୁ ଦିଆଯିବନାହିଁ । ସେଠାରେ ଜାହାଜରେ ଇନ୍ଧନ ଭରିବା ପରେ ଏହା ଶ୍ରୀଲଙ୍କା ଛାଡିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀଲଙ୍କା ସରକାର । ଚୀନ ଓ ତାଇଓ୍ବାନ ଭିତରେ ସଙ୍କଟ ବଢୁଥିବାବେଳେ ଶ୍ରୀଲଙ୍କା ଅଭିମୁଖେ ଆସୁଛି ଚୀନର ହାଇଟେକ ଜାହାଜ ୟୁଓ୍ବାନ ୟାଙ୍ଗ-୫ ।

ଏହା ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଆସନ୍ତା ୧୧ରୁ ୧୭ ପର୍ଯ୍ୟନ୍ତ ରହିବ ବୋଲି ସୂଚନା ମିଳିଛି । ଏହି ହାଇଟେକ ଜାହାଜ ଶ୍ରୀଲଙ୍କା ଆସୁଥିବା ସୂଚନା ପରେ ଭାରତ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିଲା । ଏହି ହାଇଟେକ ଜାହାଜ ଜରିଆରେ ଚୀନ ଓଡିଶାର ଏପିଜେ ଅବଦୁଲ କଲାମ ଦ୍ବୀପ ସମେତ ପ୍ରତିରକ୍ଷା ବିଭାଗ ତଥ୍ୟ ଉପରେ ନଜର ରଖିପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା ।

ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ କୁହାଯାଇଛି ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ଜାହାଜକୁ କେବଳ ଇନ୍ଧନ ଭରିବା ଲାଗି ସୁଯୋଗ ଦିଆଯିବ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଚୀନର ମହାକାଶ ଓ ଉପଗ୍ରହ ଟ୍ରାକିଂ ଗବେଷଣାଭିତ୍ତିକ ଏହି ଜାହାଜ ଭାରତର ସମସ୍ତ ପ୍ରତିରକ୍ଷା ତଥ୍ୟକୁ ସ୍କାନରରେ ରଖିବା ସମ୍ଭାବନା ଥିବାରୁ ଭାରତ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିଲା । ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଚୀନ-ତାଇଓ୍ବାନ ଟେନସନ ଉପରେ ସତର୍କ ନଜର ରଖାଯାଇଛି ।

ଶ୍ରୀଲଙ୍କା ସୂଚନା ମନ୍ତ୍ରୀ ତଥା କ୍ୟାବିନେଟ ମୁଖପାତ୍ର ବାନ୍ଦୁଲା ଗୁଣବର୍ଦ୍ଦେନେ କହିଛନ୍ତି ଚୀନର ଜାହାଜକୁ ଇନ୍ଧନ ଭରିବା ସୁଯୋଗ ଦିଆଯିବା ପରେ ଜାହାଜ ବନ୍ଦର ଛାଡିବ । ଗତ ୨୦୧୪ରେ କଲମ୍ବୋ ଚୀନର ଆଣବିକ କ୍ଷମତାସମ୍ପନ୍ନ ବୁଡ଼ାଜାହାଜକୁ ରହିବା ସୁଯୋଗ ଦେବା ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଖରାପ ଆଡ଼କୁ ଗତି କରିଥିଲା ।