ଥାଇଲାଣ୍ଡରେ ପ୍ରଦର୍ଶିତ ହେବ BSKYରେ ଲିଙ୍ଗଗତ ସମାନତା ପୋଷ୍ଟର

ଭୁବନେଶ୍ବର: ଥାଇଲାଣ୍ଡ ଯିବେ ଷ୍ଟେଟ୍ ହେଲଥ ଆସ୍ୟୁରାନ୍ସ ସୋସାଇଟି ବା ସାହସ ପ୍ରତିନିଧି । ସ୍ବାସ୍ଥ୍ୟ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ୍ସପୋଜର ଭିଜିଟ୍ କରାଯିବ । ଥାଇଲାଣ୍ଡରେ ଆୟୋଜନ ହେବ ପିଏମଏସି ୨୦୨୪ । ସେଠାରେ ସେମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲିଙ୍ଗଗତ ସମାନତା ସମ୍ପର୍କରେ ପୋଷ୍ଟର ପ୍ରଦର୍ଶନ କରିବେ । ଯାହା ଉପସ୍ଥାନ ଓ ଅନ୍ୟାନ୍ୟ ନେଟଓ୍ବର୍କିଂ କାର୍ଯ୍ୟରେ ସୁବିଧା ଯୋଗାଇବ ।

ସ୍ବାସ୍ଥ୍ୟ ବିଭାଗ ଓ ଏଚଏସଟିପି ମିଶି ଏହି ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରିବା ନେଇ ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ଏଚଏସଟିପି ସହାୟତାରେ ସ୍ବାସ୍ଥ୍ୟ ବିଭାଗର ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ଆହୁରି ସୁଦୃଢ଼ କରାଯିବ । କମ୍ପ୍ରେହେନସିଭ୍ ପ୍ରାଇମେରୀ ହେଲଥ କେୟାରକୁ ଅଧିକ ସଶକ୍ତ କରିବା ପାଇଁ ହାତକୁ ନିଆଯିବ ବିଭିନ୍ନ କାର୍ଯ୍ୟକ୍ରମ । କମ୍ପ୍ରେହେନସିଭ୍ ପ୍ରାଇମେରୀ ହେଲଥ କେୟାର ସୁଦୃଢ଼ ହେଲେ, ସେକେଣ୍ଡାରୀ ଓ ଟର୍ସିଆରୀ ସ୍ତର ଉପରେ ଚାପ କମିବ । ଏହା ଜରିଆରେ ଲୋକଙ୍କ ପାଖକୁ ସହଜରେ ପହଞ୍ଚି ପାରିବ ଚିକିତ୍ସା ସୁବିଧା ।

କିଛି ଚିହ୍ନଟ ଜିଲ୍ଲାରେ ଜୁରୁରୀକାଳୀନ ଓ ଟ୍ରମା କେୟାର ସେବାକୁ ଆହୁରି ଭଲ କରିବାକୁ ପଦକ୍ଷେପ  ନିଆଯିବ । ଯାହାକୁ ଅତିରିକ୍ତ ଡିଏମଇଟି ନିର୍ଦ୍ଦେଶକ ମନିଟର କରିବେ । ଏଚଏସଟିପି ଓ ଅତିରିକ୍ତ ଡିଏମଇଟି ନିର୍ଦ୍ଦେଶକ ମିଳିତ ଭାବେ କାମ କରି ସେସବୁ ଜିଲ୍ଲାର ଆବଶ୍ୟକତାକୁ ପୂରଣ କରିବେ । ଏଥିସହ ଭେକ୍ଟର ବର୍ଣ୍ଣ ରୋଗର ଶୀଘ୍ର ସର୍ଭେଲାନ୍ସ, ଚିହ୍ନଟ ଓ ଚିକତ୍ସା ସେବାକୁ ବି ସୁଦୃଢ଼ କରାଯିବ । ବିନା ପ୍ରେସକ୍ରମିସନରେ ଔଷଧ ନ ଦେବା ନିୟମକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନିଆଯିବ ।