ରାଜ୍ୟସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ, ଗଣତାନ୍ତ୍ରିକ ମର୍ଯ୍ୟାଦା ବଜାୟ ରଖିବାକୁ ଶପଥ କରାଇଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ତ୍ରୟୋଦଶ ଜାତୀୟ ମତଦାତା ଦିବସ ଆଜି ପୂର୍ବାହ୍ନରେ ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହକୁ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଜାତୀୟ ମତଦାତା ଦିବସ ପାଳନ ପରିପ୍ରେକ୍ଷୀରେ ଆମେ ଭାରତର ନାଗରିକବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବା, ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି ନିର୍ଭିକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସୀ ପ୍ରଲୋଭନରେ ପ୍ରଭାବିତ ନହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ରାଜ୍ୟପାଳ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗର ନାଗରିକଙ୍କୁ ଶପଥ ପାଠ କରାଇଥିଲେ ।

ଆୟୋଜିତ ସାଧାରଣ ସଭାରେ ରାଜ୍ୟପାଳ କହିଥିଲେ ଯେ, ଭୋଟରମାନେ ହେଉଛନ୍ତି ଭାରତର ସମ୍ମାନ । ସେମାନେ ଗଣତନ୍ତ୍ରର ଶକ୍ତ ଓ ସାମର୍ଥ୍ୟ । ସେମାନଙ୍କ ମତଦାନର ମୂଲ୍ୟରେ ଗଣତାନ୍ତ୍ରିକ ଶାସନ ଠିକ୍ ଭାବେ ପରିଚାଳିତ ହୋଇଥାଏ ବୋଲି ପ୍ରକାଶ କରିବା ସହିତ ଭାରତର ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଭୋଟରମାନଙ୍କର ଯୋଗଦାନ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ ।