ବ୍ରହ୍ମପୁର : ଓଡ଼ିଶାର ଫୁଡ କ୍ଯାପିଟାଲ ବ୍ରହ୍ମପୁର । ସ୍ବାଦିଷ୍ଟ ଖାଦ୍ଯ ପାଇଁ ସାରା ଓଡ଼ିଶାରେ ରହିଛି ଆଦର । ପର୍ଯ୍ଯଟକଙ୍କ ପ୍ରମୁଖ ଆକର୍ଷଣ ସହରର ହୋଟେଲ, ରେସ୍ତୋରାଁ । ସଂଧ୍ଯା ହେଲେ ଗଳିକନ୍ଦିରେ ଜମେ ଆମିଷ, ନିରାମିଷ ଫାଷ୍ଟଫୁଡ ସହ ଦକ୍ଷିଣ ଓଡ଼ିଶା ଖାଦ୍ୟ ପସରା । କୋଭିଡ୍ ମହାମାରୀ ପରେ ସହରରେ ଫାଷ୍ଟଫୁଡ୍ ଦୋକାନ ବହୁ ଗୁଣ ବୃଦ୍ଧି ପାଇଛି । ଗିରିରୋଡ, ଲାଞ୍ଜିପଲ୍ଲୀ, ବିଜିପୁର, ଆର୍ସି ଦାସ ଲେନ୍, କନଭେଣ୍ଟ ସ୍କୁଲ ରୋଡ୍, ପୁରୁଣା ବସଷ୍ଟାଣ୍ଡ, ସିଟି ହାଇସ୍କୁଲ୍ ରୋଡ, ରାମଲିଙ୍ଗେଶ୍ଵର ରୋଡରେ ଜମୁଛି ସ୍ଥାନୀୟଲୋକ ଓ ପର୍ଯ୍ୟଟକଙ୍କ ଭିଡ଼ । ହେଲେ ଚାହିଦାକୁ ଦେଖି ଏବେ ଗ୍ରାହକଙ୍କୁ ଠକିବା ଆରମ୍ଭ କରିଦେଇଛନ୍ତି ଅନେକ ଅସାଧୁ ବ୍ଯବସାୟୀ । ଅତ୍ୟଧିକ ରସାୟନିକ ପଦାର୍ଥ ମିଶାଇ ଲୋକଙ୍କୁ ବିକ୍ରି କରୁଛନ୍ତି । ଏଥିପାଇଁ ଖାଦ୍ୟ ବିଷାକ୍ତ ହେଉଛି ଓ ଅନେକ ଲୋକ ରୋଗରେ ପଡ଼ୁଥିବା ଅଭିଯୋଗ ହୋଇଛି ।
ଖାଦ୍ୟର ମାନ ଯାଞ୍ଚ ପାଇଁ BEMCରେ ଖାଦ୍ୟ ସୁରକ୍ଷା ବିଭାଗ ରହିଛି । ଏଥିପାଇଁ ସ୍ବତନ୍ତ୍ର ଗାଡ଼ି ସହ କର୍ମଚାରୀ ବି ନିୟୋଜିତ ହୋଇଛନ୍ତି । ତେବେ ସହରରେ କେତେ ସଂଖ୍ୟାରେ ଫାଷ୍ଟଫୁଡ, ମିଠା ଓ ହୋଟେଲ ରହିଛି ତାର ହିସାବ ବିଭାଗ ନିକଟରେ ନାହିଁ । କାଁ ଭାଁ ଚଢାଉ କରି ବିଭାଗ ଚୂପ ଥିବା ଲୋକେ ଅଭିଯୋଗ କରିଛନ୍ତି । ବେଳେବେଳେ ଚଢ଼ାଉ କରି ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଉଛି । ହେଲେ କଣ ରିପୋର୍ଟ ଆସିଲା ଓ କଣ କାର୍ଯ୍ୟାନୁଷ୍ଠାନ ନିଆଗଲା ଲୋକେ ଜାଣି ପାରୁ ନଥିବା କହିଛନ୍ତି । ସେପଟେ ଏଦିଗରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି ବ୍ରହ୍ମପୁର ମେୟର ।

