ଦ୍ବିତୀୟ ମ୍ୟାଚ ବି ଖେଳିବେନି ଗିଲ୍, ଜାଣନ୍ତୁ କେମିତି ଅଛି ଗିଲଙ୍କ ସ୍ବାସ୍ଥ୍ୟବସ୍ଥା?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଯୁବ ଓପନର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରୁ ବାଦ ପଡ଼ିଥିଲେ । ବିଶ୍ବକପ ଭଳି ବଡ଼ ଇଭେଣ୍ଟ ପୂର୍ବରୁ ଡେଙ୍ଗୁ ଚିହ୍ନଟ ହେବା ଖବର ଅନେକ କ୍ରିକେଟପ୍ରେମୀଙ୍କ ଲାଗି ଦୁଃଖ ଖବର ନିଶ୍ଚିତ । ତେବେ ଦ୍ବିତୀୟ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ଭେଟିବାକୁ ଯାଉଛି । ତେବେ ଏହି ମ୍ୟାଚ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ମ୍ୟାଚରେ ମଧ୍ୟ ଗିଲ ଖେଳି ପାରିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଖେଳିପାରିବେ ନାହିଁ । ଡାକ୍ତରୀ ଦଳ ଗିଲଙ୍କ ଉପରେ ନଜର ରଖିଥିବାବେଳେ ସେ ଚେନ୍ନାଇରେ ଅଛନ୍ତି । ସୋମବାର ଭାରତୀୟ ଦଳ ଚେନ୍ନାଇରୁ ଦିଲ୍ଲୀ ଅଭିମୁଖେ ବାହାରିଥିବାବେଳେ ଗିଲ ସୁସ୍ଥ ହୋଇନଥିବାରୁ ସେ ଚେନ୍ନାଇରେ ରହିଛନ୍ତି ।

ଗିଲ ଦିନିକିଆରେ ଦମଦାର ପ୍ରଦର୍ଶନ କରିଛନ୍ତି । ଦିନିକିଆରେ ଦ୍ବିଶତକ ମଧ୍ୟ ହାସଲ କରିଥିବାବେଳେ ରୋହିତଙ୍କ ସହ ପାଳି ଆରମ୍ଭ କରୁଛନ୍ତି । ସେ ଦମଦାର ବ୍ୟାଟିଂ କରୁଥିବାବେଳେ ବଡ଼ ବଡ଼ ଘାତକ ବୋଲରଙ୍କୁ ମଧ୍ୟ ଧୁଲାଇକରିଛନ୍ତି । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଏବଂ ଏସିଆ କପରେ ମଧ୍ୟ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିଲେ ଗିଲ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବକପର ପ୍ରଥମ ମ୍ୟାଚରେ ଗିଲ ସ୍ଥାନରେ ଇଶାନ କିଶାନ ଓପନିଂ କରୁଥିଲେ । ମାତ୍ର ଏହି ଯୋଡ଼ି ବିଫଳ ହୋଇଛି । ଇଶାନ, ରୋହିତ ଏବଂ ଶ୍ରେୟସ ଆୟାର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ପାଭିଲିୟନ ଫେରି ଯାଇଥିଲେ । ତେବେ ଗିଲ ଥିଲେ ଏଭଳି ସ୍ଥିତି ଉପୁଜି ନଥାନ୍ତା ବୋଲି ଅନେକ କ୍ରୀଡ଼ାପ୍ରେମୀ ଯୁକ୍ତି ବାଢ଼ିଛନ୍ତି । ତେବେ ଗିଲ କେବେ ସୁସ୍ଥ ହେବେ ଏବଂ ଦଳକୁ ଫେରିବେ? ଏଭଳି ଚର୍ଚ୍ଚା ଏବେ ସବୁଠି ଆରମ୍ଭ ହୋଇଛି ।