ସୁନ୍ଦରଗଡ଼ ଖଣି ଚୋରିକୁ ନେଇ ସରକାରଙ୍କୁ ଘେରିଲେଣି ବିରୋଧୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଖଣି ଚୋରି ହେଲା । ସରକାରଙ୍କ ଦୁଇ ଦୁଇ ଜଣ ମନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରି ଖଣି ଚୋରି ହୋଇଥିବା ନେଇ ଅନୁଭବ କଲେ । ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର । ଅଥଚ ସିବିଆଇ ତଦନ୍ତକୁ ଏଡ଼ାଇ  ଭିଜିଲାନ୍ସ୍ ତଦନ୍ତ କରିବା ନେଇ ନିର୍ଦ୍ଦେଶ ଦେଲେ । ଯାହାକୁ ନେଇ ଉଠିଛି ପ୍ରଶ୍ନ । ଏପରି କରି ଖଣି ମାଫିଆ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ସରକାର ଉଦ୍ୟମ କରୁଛନ୍ତି କି ? ପୂର୍ବ ସରକାର ସମୟରେ ଖଣି ଦୁର୍ନୀତି ନେଇ ବିଜେପି ବିଧାନସଭା ଭିତରେ ଓ ବାହାରେ ସିବିଆଇ ତଦନ୍ତ ଦାବି କରୁଥିଲା । ଏବେ କ୍ଷମତାରେ ଥାଇ କାହିଁକି ସିବିଆଇ ତଦନ୍ତକୁ ପଛାଉଛନ୍ତି ରାଜ୍ୟ ସରକାର ? ସୁନ୍ଦରଗଡ଼ ଜିଲ୍ଲାରେ ଏକ ହଜାର କୋଟିରୁ ଅଧିକ ମୁଲ୍ୟର ଖଣି ଚୋରି ହୋଇଛି । ଖଣି ଚୋରିକୁ ଲୁଚାଇବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ଗୋଟିଏ ପରେ ଗୋଟିଏ ତଦନ୍ତ ଆଳ ଦେଖାଇ ଚାଲିଛନ୍ତି ରାଜ୍ୟ ସରକାର । ଖୋଲାଖୋଲି ଅଭିଯୋଗ କରିଛନ୍ତି ସୁନ୍ଦରଗଡ  ବିଧାୟକ ଯୋଗେଶ କୁମାର ସିଂ ଏବଂ କଂଗ୍ରେସ ନେତା ନିର୍ମଳ ନାୟକ । ଖଣି ଦୁର୍ନୀତିର ତଦନ୍ତ ଭିଜିଲାନ୍ସ ବଦଳରେ ସିବିଆଇ ଦ୍ଵାରା କରିବାକୁ ଦାବି ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ତହସିଲ ଅଞ୍ଚଳର ରତନସରା, ତେଲନଡିହି ଓ ଭୋଗରାକଚା ଅଞ୍ଚଳରେ ୫୦ରୁ ଅଧିକ କୋଇଲା  ଖଣିରୁ ବେଆଇନ ଭାବେ ଚୋରାରେ କୋଇଲା ଉତ୍ତୋଳନ ହୋଇଥିବା ଅଭିଯୋଗ ହେଉଛି। ସେହିପରି ଜିଲ୍ଲାର କୋଇଡା ତହସିଲ ଅଞ୍ଚଳରେ ୫୦ ରୁ ଅଧିକ ବେଆଇନ ଖଣିରୁ ଲୁହା ପଥର ଓ ମାଙ୍ଗାନିଜ ବେଆଇନ ଭାବେ ଉତ୍ତୋଳନ କରାଯାଇଥିବା ଅଭିଯୋଗ ହେଉଛି। ଖଣି ଚୋରିର ତଦନ୍ତ ଭିଜିଲାନ୍ସ ବଦଳରେ ସିବିଆଇ ଦ୍ଵାରା କରିବା ପାଇଁ ବିଜେଡି ଓ ସିଟୁ ଶ୍ରମିକ ସଂଗଠନ ମଧ୍ୟ ଦାବି କରିଛନ୍ତି । ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ଗତ କିଛି ମାସ ମଧ୍ୟରେ ହଜାର କୋଟିରୁ କୋଟିରୁ ଅଧିକ ମୁଲ୍ୟର ଖଣି ଚୋରି ହୋଇଚାଲିଛି ।