ଏଲଇଟି ଆତଙ୍କବାଦୀକୁ ଶକ୍ତ ଝଟକା, ରିଭ୍ୟୁ ପିଟିସନର ଶୁଣାଣି କରିବାକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ: ଲସ୍କର-ଏ-ତୋଏବା ଆତଙ୍କବାଦୀ ମହମ୍ମଦ ଆରିଫ ଓରଫ ଅଫାକକୁ ଧକ୍କା । ୨୦୦୦ ମସିହା ଲାଲକିଲ୍ଲା ହମଲା ଘଟଣାରେ ତାର ମୃତ୍ୟୁ ଦଣ୍ଡାଦେଶ ସମ୍ପର୍କରେ ରିଭ୍ୟୁ ପିଟିସନର ଶୁଣାଣି କରିବାକୁ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ । ୨୦୦୦ ମସିହାର ଲାଲକିଲ୍ଲା ଆକ୍ରମଣ ଘଟଣାରେ ୨ ସେନା ଅଫିସରଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଥିଲା ।

ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ଓ ଜଷ୍ଟିସ ବେଲା ଏମ. ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରିଭ୍ୟୁ ପିଟିସନର ଶୁଣାଣି କରିବାକୁ ଅଗ୍ରାହ୍ୟ କରିଛନ୍ତି । ଲାଲକିଲ୍ଲା ଆକ୍ରମଣ ଘଟଣାରେ ମହମ୍ମଦ ଆରିଫର ସମ୍ପୃକ୍ତି ପ୍ରମାଣିତ ହୋଇଛି । ଗତ ୨୦୦୦ ଡିସେମ୍ବର ୨୨ ତାରିଖରେ ଆତଙ୍କୀଜଣକ ଲାଲକିଲ୍ଲାରେ ରାଜପୁତନା ରାଇଫଲ୍ସର ସପ୍ତମ ବାଟାଲିୟନର ଗାର୍ଡମାନଙ୍କ ଉପରେ ଆଖିବୁଜା ଆକ୍ରମଣ କରିଥିଲା ।

ତେବେ ହତ୍ୟାକାଣ୍ଡ ଘଟାଇ ଆତଙ୍କବାଦୀ ଫେରାର ହୋଇଯାଇଥିଲା । ଘଟଣାରେ ପ୍ରାଣ ହରାଇଥିଲେ ୩ଜଣ । ଏହି ମାମଲାରେ ମହମ୍ମଦ ଆରିଫ ମାଷ୍ଟରମାଇଣ୍ଡ ଥିବାବେଳେ ୧୧ ଜଣ ଦୋଷୀବ ସାବ୍ୟସ୍ତ ହୋଇଥିଲେ । ଫେରାର ହୋଇଯାଇଥିବା ବିଲାଲ ଅହମ୍ମଦ କାଓ୍ବାକୁ ୧୮ ବର୍ଷ ପରେ ୨୦୧୮ରେ ଦିଲ୍ଲୀ ପୋଲିସ ଓ ଗୁଜରାଟ ଆଣ୍ଟିଟେରରିଷ୍ଟ ସ୍କ୍ବାଡ ଦ୍ବାରା ଗିରଫ କରାଯାଇଥିଲା ।