କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାରଙ୍କୁ ନୋଟିସ୍: ୨୪ ଘଣ୍ଟାର ମହଲତ ଦେଲେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ:  ଆସନ୍ତାକାଲି ପୁଣି ହେବ ମହାରାଷ୍ଟ୍ର ମହାବିବାଦର ଶୁଣାଣି । ଆଜି ପାଇଁ ଶୁଣାଣିକୁ ସ୍ଥଗିତ ରଖିବା ସହ କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର, ଦେବେନ୍ଦ୍ର ଫଡ଼ନବିସ୍‌ ଓ ଅଜିତ ପାଓ୍ୱାରଙ୍କୁ ନୋଟିସ ଜାରି କରିଛନ୍ତି ମାନ୍ୟବର କୋର୍ଟ । ଆସନ୍ତାକାଲି ସାଢ଼େ ୧୦ ସୁଦ୍ଧା ଉତ୍ତର ରଖିବାକୁ ମହଲତ ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ । ଏଥିସହ ରାଜ୍ୟପାଳଙ୍କ ନିର୍ଦ୍ଦେଶନାମା ଓ ବିଜେପି ବିଧାୟକଙ୍କ ସମର୍ଥନ ପତ୍ରକୁ କୋର୍ଟରେ ଉପସ୍ଥାପନ କରିବା ପାଇଁ ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଆଜି ପୂର୍ବ ନିର୍ଦ୍ଦାରିତ ସମୟାନୁଯାୟୀ ସାଢ଼େ ୧୧ଟାରେ ୩ଜଣିଆ ଖଣ୍ଡପୀଠରେ ଆରମ୍ଭ ହୋଇଥିଲା  ‘ମହା’ ଶୁଣାଣି  । ଏନ୍‌ସିପି-ଶିବେସନା-କଂଗ୍ରେସ ପକ୍ଷରୁ ପକ୍ଷ ରଖିଥିଲେ ବରିଷ୍ଠ ଆଇନଜୀବୀ କପିଲ ଶିବଲ୍ । ରାଜ୍ୟପାଳଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଲେ ଶିବଲ୍‌ । କହିଲେ, ଆମ ପକ୍ଷରୁ ସରକାର ଗଠନ ନେଇ ଘୋଷଣା କରାଯାଇଥିବା ସତ୍ତ୍ୱେ ରାଜ୍ୟପାଳ କିଭଳି ଫଡ଼ନବିସଙ୍କୁ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରାଇଲେ । ବିନା କ୍ୟାବିନେଟ ମିଟିଂରେ ରାଷ୍ଟ୍ରପତି ଶାସନ ହଟାଇ ଦିଆଯିବା ନେଇ ପ୍ରଶ୍ନ ଉଠାଇଥିଲେ ।

ଅପରପକ୍ଷରେ ସୋମବାର ସୁଦ୍ଧା ପ୍ରୋଟେମ୍‌ ସ୍ପିକର ଚୟନ କରି ଫ୍ଳୋର ଟେଷ୍ଟ କରାଇବାକୁ ଦାବି କରିଛନ୍ତି ଅଭିଷେକ ମନୁ ସିଙ୍ଗଭି । ଆମେ ଫ୍ଳୋର ଟେଷ୍ଟ ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି କଂଗ୍ରେସ ନେତା ତଥା ଆଇନଜୀବୀ ସିଙ୍ଗଭି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଚୟନ କରିବା ରାଜ୍ୟପାଳଙ୍କ କ୍ଷମତାର ପରିସରଭୁକ୍ତ । ଅନୁଚ୍ଛେଦ ୩୬୧ ଅନୁଯାୟୀ ନିଜ କ୍ଷମତାର ପରିସରଭୁକ୍ତ କାର୍ଯ୍ୟ ପାଇଁ ରାଜ୍ୟପାଳ କୌଣସି ବି କୋର୍ଟରେ ନିକଟରେ ଜବାବଦେହୀ ନୁହଁନ୍ତି ବୋଲି ଯୁକ୍ତି ବିଜେପି ଓକିଲ ମୁକୁଲ ରୋହିତଗି ।

Leave a Reply