ଆଧାର କାର୍ଡକୁ ବୈଧ ନଥି ଭାବେ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ : ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ। ଆଧାର କାର୍ଡକୁ ବୈଧ ନଥି ଭାବେ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। କାର୍ଡର ବୈଧତାକୁ ସଠିକ୍ ଯାଞ୍ଚ କରିବାକୁ ବି ପରାମର୍ଶ ଦେଇଛନ୍ତି ଅଦାଲତ। ବିଭିନ୍ନ ପିଟିସନର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ।  ଆରଜେଡି, ଏଆଇଏମଆଇଏମ ପକ୍ଷରୁ ଦାୟର ହୋଇଥିଲା ମାମଲାର ଶୁଣାଣି କରି ଏହା କହିଛନ୍ତି କୋର୍ଟ। ତେବେ ଆଧାର କାର୍ଡ ନାଗରିକତ୍ବର ପ୍ରମାଣ ହୋଇପାରିବ ନାହିଁ କୋର୍ଟ ଦର୍ଶାଇଛନ୍ତି। ବିହାରରେ ଏସଆଇଆର ଲାଗି ଗତ ଜୁନ ୨୪ରେ ନିର୍ବାଚନ କମିଶନ ଜାରି କରିଥିବା ବିଜ୍ଞପ୍ତିକୁ ବିରୋଧ କରିଥିଲେ ବହୁ ରାଜନୈତିକ ଦଳ। ଏସଆଇଆର ପ୍ରକ୍ରିୟାରେ ରାଜ୍ୟର ୭ କୋଟି ୨୪ ଲକ୍ଷ ଭୋଟରଙ୍କ ମଧ୍ୟରୁ ଚିଠା ଭୋଟର ତାଲିକାରେ ୯୯.୫ ପ୍ରତିଶତ ଭୋଟର ସେମାନଙ୍କ ବୈଧ ନଥିପତ୍ର ଦାଖଲ କରିଛନ୍ତି ବୋଲି ନିର୍ବାଚନ କମିଶନ ଯେଉଁ ଯୁକ୍ତି ଦର୍ଶାଇଛନ୍ତି ତାହାରି ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଇସିଆଇଙ୍କ ଏହି ଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଆରଜେଡି, ଏଆଇଏମଆଇଏମ ଓ ଅନ୍ୟାନ୍ୟ ପକ୍ଷ। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।