ବିଜେପିକୁ ଭର୍ତ୍ସନା କଲେ ସ୍ୱାତୀ ମାଲିଓ୍ୱାଲ, କହିଲେ- ଚାଲିଛି ଅପପ୍ରଚାର

1 min read

ନୂଆଦିଲ୍ଲୀ: ରାଜରାସ୍ତାରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲଙ୍କୁ କାରରେ ଭିଡ଼ି ନେବା ଘଟଣା । ବିଜେପିର ମିଥ୍ୟା ଅଭିଯୋଗକୁ ନେଇ ଦଳକୁ ଭର୍ତ୍ସନା କରିଛନ୍ତି ସ୍ୱାତୀ । ଗତ ଗୁରୁବାର ରାତିରେ ଦିଲ୍ଲୀ ଏମସ୍ ପଛପଟେ ରିୟଲିଟି ଚେକ୍ କରୁଥିବାବେଳେ ଜଣେ ମଦ୍ୟପ କାର୍ ଡ୍ରାଇଭର ସ୍ୱାତୀଙ୍କୁ ୧୦ ମିଟର ଘୋଷାଡ଼ି ନେଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣା ସତ ନୁହେଁ ଏବଂ ଏକ ଷ୍ଟିଙ୍ଗ ଥିଲା ବୋଲି ବିଜେପି କହିବା ପରେ ଏହାକୁ ନେଇ ବର୍ଷିଛନ୍ତି ସ୍ବାତୀ । ଦିଲ୍ଲୀ ପୋଲିସକୁ ବଦନାମ କରିବା ଲାଗି ଏହା ଏକ ଅପରେସନ ଥିଲା ବୋଲି ବିଜେପି କହିବା ପରେ ଏହାକୁ ବିରୋଧ କରିଥିଲେ ସ୍ବାତୀ ।

ସେ କହିଛନ୍ତି- ତାଙ୍କ ସମ୍ପର୍କରେ ଅପପ୍ରଚାର କରାଯାଉଛି । ସେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରିଆସିଛନ୍ତି । ତାଙ୍କୁ ଅନେକ ସମୟରେ ଆକ୍ରମଣ କରାଯାଇଛି । ମାତ୍ର ସେ ଦବିବେ ନାହିଁ । ପ୍ରତି ଷଡ଼ଯନ୍ତ୍ର କ୍ଷେତ୍ରରେ ତାଙ୍କ ଭିତରେ ଥିବା ନିଆଁ ଅଧିକ ତେଜିଆନ ହେବ । ତାଙ୍କ ସ୍ବରକୁ କେହି ଦମନ କରିପାରିବେ ନାହିଁ । ସେ ବଞ୍ଚିଥିବା ଯାଏ ସଂଗ୍ରାମ ଜାରି ରଖିବେ । ଗତ ଗୁରୁବାରର ଘଟଣା ପ୍ରସଙ୍ଗରେ ବିଜେପି ପକ୍ଷରୁ କୁହାଯାଇଥିଲା- ଖୋଦ୍ କାର୍ ଚାଳକ ହରିଶ ଚନ୍ଦ୍ର ସୂର୍ଯ୍ୟବଂଶୀ ଜଣେ ଆପ୍ କର୍ମୀ ଏବଂ ସ୍ବାତୀଙ୍କ ଏହା ଥିଲା ଏକ ନାଟକ ।