ପୁଣି ବର୍ଷାରେ ବେହାଲ ତାମିଲନାଡ଼ୁର ସ୍ଥିତି

ଚେନ୍ନାଇ: ତାମିଲନାଡୁରେ ପୁଣି ବର୍ଷା ବିଗାଡ଼ିଲା ସ୍ଥିତି । ୪ ଜିଲ୍ଲାରେ ପ୍ରବଳ ବର୍ଷାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତିରୁନେଲଭେଲି, ତୁତିକୋରିନ, ଟେନକାସୀ ଏବଂ କନ୍ୟାକୁମାରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଦକ୍ଷିଣ ତାମିଲନାଡୁ ଅଂଚଳରେ ବିତ୍ପାତ ସୃଷ୍ଟି କରିଛି ବର୍ଷା। ୨୪ ଘଣ୍ଟା ମଧ୍ୟରେ ତୁତିକୋରିନ ଜିଲ୍ଲାର ତିରୁଚେନ୍ଦୁର ନାମକ ସ୍ଥାନରେ ସର୍ବାଧିକ ୬୦ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି। ପଲୟମକୋଟ୍ଟାଇରେ ସର୍ବାଧିକ ୨୬ ସେଣ୍ଟିମିଟର ଏବଂ କନ୍ୟାକୁମାରୀରେ ୧୭ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି।

ବର୍ଷାରେ ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି। ବର୍ଷା ସ୍ଥିତିରୁ ୪ ଜିଲ୍ଲାରେ ଆଜି ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ। ଉଦ୍ଧାରକାର୍ଯ୍ୟ ଲାଗି ପ୍ରସ୍ତୁତ ରହିଛନ୍ତି ଟିମ । ସ୍କୁଲ, କଲେଜ, ବ୍ୟାଙ୍କ ଓ ଘରୋଇ ପ୍ରତିଷ୍ଠାନ ଗୁଡିକୁ ଛୁଟି କରି ଦିଆଯାଇଛି । ଅନେକ ଘରୋଇ କମ୍ପାନୀ ମଧ୍ୟ ଛୁଟି ଘୋଷଣା କରିଛନ୍ତି । ବର୍ଷାରୁ ଟ୍ରେନ, ବସ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ପ୍ରାୟ ୩ ଫୁଟରୁ ଅଧିକ ଉଚ୍ଚରେ ପାଣି ଚାଲୁଛି । ତିରୁନିଭେଲି, ଥୁଟିକୁଡ଼ି ଏବଂ କନ୍ୟାକୁମାରୀରେ ସ୍ଥିତି ବିଗିଡିଛିୁ। ୩ ଡ୍ୟାମରୁ ପାଣି ଛଡାଯିବାରୁ ତଳିଆ ଅଂଚଳ ଜଳମଗ୍ନ ହୋଇ ପଡିଛି । ତାମ୍ରପାଣି ନଦୀ ଫୁଲିକି ଚାଲିଛି। ଡ୍ୟାମ ଗୁଡିକର ସଠିକ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ।

ସୋମବାର ମଧ୍ୟ ତାମିଲନାଡୁରେ  ପ୍ରବର୍ଷ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସ୍ଥିତିର ସମୀକ୍ଷା ଲାଗି ବରିଷ୍ଠ ଅଧିକାରୀଙ୍କ ସହ କିଛି ମନ୍ତ୍ରୀଙ୍କୁ ନିୟୋଜିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଦ୍ଧାରକାର୍ଯ୍ୟ ଲାଗି ରିଲିଫ୍ ବୋଟ୍ ପ୍ରସ୍ତୁତ ରହିଛି। ଦୁଇଟି ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ପ୍ରତି ଟିମରେ ୫୦ ସଦସ୍ୟ ରହିଛନ୍ତି। ସେହିପରି ୩ଟି ଏସଡିଆରଏଫ୍ ଟିମ କନ୍ୟାକୁମାରୀ ଜିଲ୍ଲାରେ ମୁତୟନ ହୋଇଛନ୍ତି। ଏହାବାଦ ୪ ହଜାର ପୋଲିସ କର୍ମୀଙ୍କୁ ପ୍ରଭାବିତ ଅଂଚଳରେ ନିୟୋଜିତ କରାଯାଇଛି। ପ୍ରବଳ ବେଗରେ ପବନ ବହୁଥିବାରୁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ପରାମର୍ଶ କରାଯାଇଛି । ତୁତିକୋରିନକୁ ଯିବାକୁ ଥିବା ବିମାନ ଗୁଡିକର ଗତିପଥ ପରିବର୍ତନ କରାଯାଇଛି। ୧୭ଟି ଟ୍ରେନର ଚଳାଚଳ ରଦ୍ଦ କରାଯାଇଛି।