ରାତିରେ କମୁଛି ପାରଦ: ଜାଡ଼ ମାଡ଼ରେ ଅସହ୍ୟ ଜନ ଜୀବନ

ଭୁବନେଶ୍ବର: ପୁଣି ଶୀତ କରୁଛି କଲବଲ । ରାତିରେ ଖସୁଛି ପାରଦ । ଜାଡର ମାଡ଼ରେ ଅସହ୍ୟ ହେଉଛି ଜନ ଜୀବନ । ସ୍ବାଭାବିକ ତାପମାତ୍ରା ଠାରୁ ରାତିରେ ଦୁଇରୁ ତିନି ଡିଗ୍ରୀ କମୁଛି ପାରା । ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି ।

ଉପକୂଳ ଓଡ଼ିଶାର ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ପୁଣି ଥରେ ୧୫ ଡିଗ୍ରୀ ଭିତରେ ରହିବା ଅନୁମାନ କରାଯାଉଛି । ସେହିଭଳି ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଭିତରେ ରହିବ । ‌ଶୀତ ବଢ଼ିବା ସତ୍ତ୍ବେ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେବ । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, କନ୍ଧମାଳ, କଟକ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, କେଦନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ ।

୧୭ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ପଶ୍ଚିମଝଡ଼ ପ୍ରଭାବରେ ଉତ୍ତର ଓ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।