ଘନଘନ ରକେଟ୍‌ ମାଡ଼ରେ ଘାଇଲା ଗାଜା, ମୃତ୍ୟୁସଂଖ୍ୟା ୨୪ ଛୁଇଁଲା

1 min read

ଜେରୁଜେଲମ: ପୁଣି ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ-ପାଲେଷ୍ଟାଇନ ବିବାଦ । ଗାଜା ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଥିବା ବେଳେ ଦକ୍ଷିଣ ଇସ୍ରାଏଲ ଉପରେ ବି ହମଲା କରିଛି ପାଲେଷ୍ଟାଇନ । ପାଲେଷ୍ଟାଇନ ଜିହାଦ ସଂଗଠନର ଜଣେ ବରିଷ୍ଠ କମାଣ୍ଡରଙ୍କୁ ଇସ୍ରାଏଲ ହତ୍ୟା କରିବା ପରେ ବଢିବାରେ ଲାଗିଛି ଟେନସନ ।

ଇସ୍ରାଏଲ ହମଲାରେ ଉତ୍ତର ଗାଜାର ଜାବାଲିୟାରେ ପ୍ରାଣ ହରାଇଥିବା ପାଲେଷ୍ଟିନୀୟଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ୬ ଶିଶୁ । ହମଲାରେ ଉତ୍ତରାଞ୍ଚଳ ଗାଜାର କମାଣ୍ଡର ତାଇସିର-ଅଲ- ଜାବାରି ପ୍ରାଣ ହରାଇଛି । ଦ୍ବିତୀୟ ଦିନରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧାବସ୍ଥା ଜାରି ରହିଥିବାବେଳେ ଏହାକୁ ନେଇ ସମଗ୍ର ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଛି ଅସ୍ଥିରତା । ଯଦିଓ ଗାଜାକୁ ନେଇ ବିବାଦ ଜୋର ଧରିବାରେ ଲାଗିଛି ତଥାପି ଗାଜାର ସର୍ବବୃହତ ଆତଙ୍କବାଦୀ ସଂଗଠନ ହାମାସ ବର୍ତ୍ତମାନ ସୁଦ୍ଧା ନିରପେକ୍ଷ ରହିଛି ।

ବର୍ଷକ ତଳେ ଗାଜାକୁ ନେଇ ଇସ୍ରାଏଲ ଓ ହାମାସ ମଧ୍ୟରେ ତୁମୂଳ ସଂଘର୍ଷ ହୋଇଥିଲା । ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ବିବାଦ ବଢୁଥିବାବେଳେ ଗାଜାରେ ରହୁଥିବା ପ୍ରାୟ ୨୦ ଲକ୍ଷ ପାଲେଷ୍ଟିନୀୟଙ୍କ ଅବସ୍ଥା ସଙ୍କଟ ଆଡକୁ ଗତି କରିଛି । ତେଣେ ଇସ୍ରାଏଲ ଅଭିଯୋଗ କରିଛି ତେଲ ଆଭିବରେ ପାଲେଷ୍ଟାଇନ ରକେଟ ଷ୍ଟ୍ରାଇକ କରିଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ସମସ୍ୟାରେ ପଡିଛନ୍ତି ଇସ୍ରାଏଲର କାମଚଳା ପ୍ରଧାନମନ୍ତ୍ରୀ ୟାର ଲାପିଦ ।

ସେପଟେ ଦୋଛକିରେ ପଡିଛି ହାମାସ । ଗାଜାରେ ଦାରିଦ୍ର୍ୟ ଓ ବେକାରୀ ଚରମ ସୀମାରେ ପହଞ୍ଚିଛି । ଗତ ୨୦୦୭ରେ ଗାଜାକୁ ହାମାସ ନିଜ ଅଧୀନକୁ ନେବା ପରେ ଇସ୍ରାଏଲ ଓ ଇଜିପ୍ଟ ନିଜର ସୀମାକୁ ସିଲ୍ କରିସାରିଛନ୍ତି । ଯୁଦ୍ଧରୁ ହାମାସକୁ ବିରତ ରଖିବା ଲାଗି ଆମେରିକା ସମେତ ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ହୋଇଛି । ହାମାସ ତୁଳନାରେ କ୍ଷୁଦ୍ର ସଂଗଠନ ଇସଲାମିକ ଜିହାଦ ସଂଗଠନକୁ ସମର୍ଥନ କରୁଛି ଇରାନ ।