ଠାକୁରାଣୀ ଯାତ୍ରା ପାଇଁ ଦୁଲୁକୁଛି ବ୍ରହ୍ମପୁର ସହର, ପ୍ରବଳ ଖରା ସତ୍ତ୍ବେ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ

ବ୍ରହ୍ମପୁର ; କେଉଁଠି ମେଳା ତ କେଉଁଠି ମୀନା ବଜାର । ଖେଳକୁଦ ସାଙ୍ଗକୁ ଖାଦ୍ଯ ପେୟର ଆସର । ହସ୍ତତନ୍ତ ସାମଗ୍ରୀ ସହ ରାଜ୍ଯର ଟେରାକୋଟା ସାମଗ୍ରୀ କିଣାକିଣି ପାଇଁ ଜମିଛି ଆସର । ମହିଶୂର ହସ୍ତଶିଳ୍ପ ଠାରୁ କାଶ୍ମୀରର ପାରମ୍ପରକି ବସ୍ତ୍ର, ରାଜ୍ଯର ହସ୍ତକଳା ସବୁ ଗୋଟିଏ ସ୍ଥାନରେ ମିଳୁଛି । ବ୍ରହ୍ମପୁର ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା ଆଣି ଦେଇଛି ଲୋକଙ୍କ ପାଇଁ ଏହି ସୁଯୋଗ । ଗତ ୩ ତାରିଖରୁ ମାଆ ବାପା ଘରକୁ ଆସିବା ପରଠାରୁ ଲୋକାରଣ୍ୟ ହୋଇ ଉଠିଛି ବ୍ରହ୍ମପୁର ସହର । ଅସ୍ଥାୟୀ ମଣ୍ଡପରେ ମାଆଙ୍କୁ ଦର୍ଶନ କରି ଯାତ୍ରା ବୁଲୁଛନ୍ତି ପିଲାଠାରୁ ବୁଢା । ପ୍ରବଳ ଖରା ସତ୍ତ୍ବେ ମାଆଙ୍କ ଦର୍ଶନ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଶ୍ରଦ୍ଧାଳୁଙ୍କ ସୂଅ ଛୁଟୁଛି ।

ଦୋଳି ଖେଳ ସାଙ୍ଗକୁ ବିଭିନ୍ନ ମଜା ମସ୍ତିରେ ଲାଗି ପଡିଛନ୍ତି ଲୋକେ । ସଂଧ୍ଯା ହେଲା ମାତ୍ରେ ମୀନା ବଜାର ଓ ମେଳାରେ ଜମୁଛି ଖଚାଖଚ ଭିଡ଼ । ରାମ ଦୋଳି ସାଙ୍ଗକୁ ଚକାଭଉଁରି, ଆହୁରି କେତେ କଣ । କିଏ ଦୋଳି ମାୟାରେ ବାୟା ତଦ କିଏ ଚଟପଟି ଖାଦ୍ଯ ଷ୍ଟଲରେ ଭିଡ଼ ଜମାଉଛନ୍ତି । ଦୁଇବର୍ଷ ପରେ ମାଆ ବୁଢୀ ଠାକୁରାଣୀ ଯାତ୍ରା ପଡ଼ିଥିବାରୁ ଏହାକୁ ହାତଛଡ଼ା କରିବାକୁ କେହି ଚାହୁଁ ନାହାନ୍ତି । ମାଆଙ୍କ ଦର୍ଶନ କରି ବିଭିନ୍ନ କଳାକୁଞ୍ଜ ବୁଲି ଦେଖିବା ସହ ମୀନା ବଜାର ଓ ମେଳାରୁ ବିଭିନ୍ନ ସାମଗ୍ରୀ କିଣି ନେଉଛନ୍ତି ଲୋକେ ।