କାହାର ହେବ ବ୍ରଜରାଜନଗର, ଆଉ କିଛି ସମୟ ପରେ ଆରମ୍ଭ ହେବ ଭୋଟ୍ ଗଣତି

ବ୍ରଜରାଜନଗର: କିଏ ଜିତିଛି ବ୍ରଜରାଜନଗରବାସୀଙ୍କ ଦିଲ୍ । କାହାକୁ ବିଧାୟକ ରୂପେ ବାଛିଛନ୍ତି ଜନତା । ଆଉ କିଛି ସମୟରେ ଆସିବ ପ୍ରାରମ୍ଭିକ ଚିତ୍ର । ଖୋଲିବ ଇଭିଏମ ଗଣାହେବ ଭୋଟ । ୮ଟାରୁ ଆରମ୍ଭ ହେବ କାଉଣ୍ଟିଂ । ଝାରସୁଗୁଡ଼ା ଇଂଜିନିୟରିଂ କଲେଜରେ ଗଣତି ପାଇଁ ହୋଇଛି ବ୍ୟବସ୍ଥା । ପ୍ରଥମ ୩୦ ମିନିଟ୍ ପୋଷ୍ଟାଲ ବାଲଟ୍ ଗଣତି ହେବ । ପରେ ୮ଟା ୩୦ରୁ ଖୋଲିବ ଇଭିଏମ । ମୋଟ ୧୪ଟି ଟେବୁଲରେ ଗଣତି ହେବ । ୨୭୯ ବୁଥର ଭୋଟ୍ ୨୦ ରାଉଣ୍ଡରେ କାଉଣ୍ଟିଂ କରାଯିବ । ପ୍ରତି ଟେବୁଲରେ ରହିବେ ୪ଜଣ କାଉଣ୍ଟିଂ ଅଫିସର । ପ୍ରତି ରାଉଣ୍ଡର ଫଳାଫଳ ମାଇକ ଯୋଗେ ଘୋଷଣା କରାଯିବ।

ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ବାହିନୀ ସହ ଓଡ଼ିଶା ପୋଲିସର ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ବ୍ୟବସ୍ଥା ପାଇଁ ଗୋଟିଏ ପ୍ଲାଟୁନ ସିଆରପିଏଫ ବ୍ୟତୀତ ଓଡିଶା ପୋଲିସର ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୫ ଜଣ ଇନସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିଛନ୍ତି ।

ସେପଟେ ଗଣତି ପୂର୍ବରୁ ବିଜୟ ନେଇ ସବୁ ଦଳର ପ୍ରାର୍ଥୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ବିଜେଡି ବିପୁଳ ଭୋଟରେ ବିଜୟୀ ବୋଲି ଦୃଢୋକ୍ତି ପ୍ରକାଶ କରିଥିବା ବେଳେ ଦ୍ବିତୀୟ ତୃତୀୟ ସ୍ଥାନ ପାଇଁ ବିଜେପି ଓ କଂଗ୍ରେସ ଲଢୁଛନ୍ତି ବୋଲି କହିଛି ।