ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ପାଉନାହାନ୍ତି ବିରୋଧୀ, ଦ୍ବନ୍ଦରେ ବିଜେପି ଓ କଂଗ୍ରେସ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ପାଉନାହାନ୍ତି ବିରୋଧୀ । କାହାକୁ ପ୍ରାର୍ଥୀ କରିବେ ସେନେଇ ଦ୍ବନ୍ଦରେ ପଡ଼ିଛନ୍ତି । ଶାସକ ଦଳଠୁ ଏକଦମ୍ ପଛରେ ପଡ଼ିଯାଇଛନ୍ତି କଂଗ୍ରେସ ଓ ବିଜେପି । ବିଜେଡି ବିରୋଧରେ କାହାକୁ ପ୍ରାର୍ଥୀ କରିବେ ସେନେଇ ଜାରି ରଖିଛନ୍ତି କସରତ । ବିଜେପି କାହା ଉପରେ ଭରସା କରିପାରୁନଥିବାବେଳେ କଂଗ୍ରେସ ମଧ୍ୟ ନିଷ୍ପତ୍ତି ନେଇପାରୁନି । ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଁ ମଝିରେ ଆଉ ତିନିଦିନ ରହିଛି । ଏଭଳି ସ୍ଥଳେ ପ୍ରାର୍ଥୀ ଦେବା ନେଇ ଉଭୟ ବିରୋଧୀ ଦଳଙ୍କ ଟେନସନ ବଢ଼ିଛି ।

ଅନ୍ୟପଟେ ବହୁ ଆଗୁଆ ପ୍ରାର୍ଥୀ ଦେଇ ବିଜେଡି ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲାଣି । ଗ୍ରାଉଣ୍ଡରେ ଲୋକଙ୍କ ପାଖକୁ ଯାଇ ରାଜ୍ୟ ସରକାରଙ୍କ ବିକାଶ ସହିତ ସ୍ବର୍ଗତ ନବ କିଶୋର ଦାସ କରିଥିବା ଉନ୍ନତିମୂଳକ କାର୍ଯ୍ୟକୁ ଆଧାର କରି ପ୍ରଚାର ଆରମ୍ଭ କରିଛନ୍ତି ଦୀପାଳି ଦାସ । ବଡ଼ ବ୍ୟବଧାନରେ ବିଜୟୀ ହେବାକୁ ଦଳ ରଣନୀତି କରିଛି । ୧୨ ଜଣ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି । ପଦମପୁର ପରି ଝାରସୁଗୁଡ଼ାର ଗ୍ରାଉଣ୍ଡରେ ଲୋକଙ୍କ ପାଖରେ ପହଞ୍ଚି ବୃହତ ବ୍ୟବଧାନରେ ବିଜୟ ପାଇଁ ପଥ ପ୍ରସ୍ତତ ହୋଇଛି । ଉପନିର୍ବାଚନ ଫଳାଫଳ ଏକପାଖିଆ ହେବ ବୋଲି ବିଜେଡି ଦାବି କରିଛି ।