ଢେଙ୍କାନାଳରେ ଡିଆରଡିଓ ନାଁରେ ରାଇସ ପୁଲିଂ ଘଟଣା, ୨୪ ଘଣ୍ଟା ନପୂରୁଣୁ ପୋଲିସର ଆକ୍ସନ

ଢେଙ୍କାନାଳ: ନନ୍ଦିଘୋଷ ଟିଭିର ପ୍ରଭାବ । ଢେଙ୍କାନାଳରେ ଡିଆରଡିଓ ନାଁରେ ରାଇସ ପୁଲିଂ ଘଟଣା । ୨୪ ଘଣ୍ଟା ନପୁରୁଣୁ ପୋଲିସର କୁଇକ୍ ଆକ୍ସନ । ଠକଙ୍କୁ ଧରିବା ସହିତ ପୂରା ଘଟଣା ଉପରୁ ପରଦା ଉଠାଇବା ପାଇଁ ପୋଲିସ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଟିମ୍ । ଏପରିକି ଠକଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ପ୍ରକ୍ରିୟା ଆରମ୍ଭ କରିଛି । ଆନ୍ଧ୍ରପ୍ରଦେଶ ଓ କୋଲକାତା ଯିବ ଦୁଇଟି ଟିମ୍ । ଏହା ସହିତ ଡିଆରଡିଓ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଛି ପୋଲିସ । ଜିଲ୍ଲାରେ ଥିବା ସବୁ ଥାନା ଫାଣ୍ଡିଙ୍କୁ ଏପରି ଠକଙ୍କ ଉପରେ ନଜର ରଖିବା ପାଇଁ ଏସପି ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଠକାମୀରେ ନପଡ଼ିବା ପାଇଁ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି ଏସପି ।

ଡିଆରଡିଓ ନାଁ ନେଇ କେମିତି ରାଇସ୍ ପୁଲିଂ କରୁଥିଲେ ଠକ । ଏନେଇ ଗତକାଲି ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି । ଏକ ଧାତୁ ଥିବା ସ୍ୱତନ୍ତ୍ର ବାକ୍ସରେ ଲେଖାଯାଇଥିଲା ଡିଆରଡିଓ । ଏଥିରେ ରିସର୍ଚ୍ଚ ସେଣ୍ଟରର ଅଧିକାରୀଙ୍କ ନକଲ ଦସ୍ତଖତ କରାଯାଇଥିଲା । ଏସବୁ ଲେଖି ଲୋକଙ୍କ ମନରେ ଏହା ଡିଆରଡିଓ ସାମଗ୍ରୀ ବୋଲି ବିଶ୍ୱାସ ଜନ୍ମାଯାଉଥିଲା । ଭିଡିଓ ପ୍ରସ୍ତୁତ କରି ଦେଶର କୋଣ ଅନୁକୋଣରେ ଥିବା ଠକ୍ ଗ୍ୟାଙ୍ଗଙ୍କ ପାଖକୁ ଏହା ପଠାଯାଉଥିଲା । ରାତି ରାତି ବଡ଼ ଲୋକ ହେବା ଲୋଭରେ ଏହି ଧାତୁକୁ ଖୋଜିବା ଆରମ୍ଭ କରିଦିଅନ୍ତି ଧନୀ ଶ୍ରେଣୀର ଲୋକ । ଫରେନ୍ ମାର୍କେଟରେ ଏହି ଧାତୁଟିର ମୁଲ୍ୟ ଶହ ଶହ କୋଟି ଟଙ୍କା । ଆମେରିକା ନାସାରେ ଏହାର ମୂଲ୍ୟ ଅମୂଲ୍ୟ ବୋଲି କହି ଲୋକଙ୍କୁ ଭୁଆଁ ବୁଲାଇ ଥାଆନ୍ତି ଠକ ଗ୍ୟାଙ୍ଗ ।