ଜଙ୍ଗଲରେ ପଡ଼ିଛି ୧୩ ଶହ ବର୍ଷ ପୁରୁଣା ମନ୍ଦିରର ଭଗ୍ନାବଶେଷ

1 min read

ନୟାଗଡ଼: ଗହନ ବନରେ ମନ୍ଦିରର ଭଗ୍ନାବଶେଷ । ଏଣେତେଣେ ପଡ଼ି ରହିଛି ମନ୍ଦିରର ଭଙ୍ଗା ଅଂଶ । ପାର୍ଶ୍ୱ ଦେବାଦେଵୀଙ୍କ ମୂର୍ତ୍ତିରୁ ଝଲସୁଛି ପୁରାତନ କାରୁକାର୍ଯ୍ୟ । ଭଙ୍ଗା ଅଁଳା ବେଢାକୁ ଦେଖିଲେ ଜଣାପଡ଼ୁଛି ଏହାର ବିଶାଳତା । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତ ଶଙ୍ଖଯୋଡ଼ି ନିକଟ ରିଜର୍ଭ ଫରେଷ୍ଟ ଅଗନାଅଗନି ବନସ୍ତରେ ରହିଛି ଏହି ପୁରାତନ ଶୈବ ପୀଠ ଗଙ୍ଗେଶ୍ବର । ଏବେ ଭଙ୍ଗା ପଥର ପାଲଟି ଯାଇଥିବା ମନ୍ଦିରର ବିଭିନ୍ନ କାରୁକାର୍ଯ୍ୟ ବଖାଣୁଛି ନିଜ ଇତିହାସ ।

ମନ୍ଦିରର ଗଠନ ଏବଂ ନିର୍ମାଣ ଶୈଳୀକୁ ଦେଖିଲେ ଏହା ଏକ ଶୈବ ପୀଠ ଭଳି ପ୍ରତୀୟମାନ ହେଉଛି । ମନ୍ଦିରଟି ପାଖାପାଖି ୧୩ ଶହ ବର୍ଷ ପୁରୁଣା ହେବ ବୋଲି ଅନୁମାନ କରାଯାଉଛି । କାହିଁ କେଉଁ କାଳରୁ ମନ୍ଦିରଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି l ଷଷ୍ଠ ଖ୍ରୀଷ୍ଟାବ୍ଦରେ ନିର୍ମିତ ଏହି ଶୈବ ମନ୍ଦିର ୧୩ ଶହ ଖ୍ରୀଷ୍ଟାବ୍ଦରେ ଭାଙ୍ଗି ଯାଇଥିବା କୁହାଯାଉଛି l ପାଖଆଖରେ ଏକ ସଭ୍ୟ ମାନବ ସଭ୍ୟତା ଥିବା ଓ ଆକ୍ରମଣକାରୀ କଳାପାହାଡ଼ ଏହାକୁ ଭାଙ୍ଗିଥିବା  ଭାଙ୍ଗି ଥିବା କୁହାଯାଉଛି । ତେବେ କଳାପାହାଡ଼ ଭାଙ୍ଗିଛି କି ଅନ୍ୟ କିଛି କାରଣରୁ ଏହା ନଷ୍ଟ ହୋଇଯାଇଛି ପ୍ରତ୍ନତତ୍ୱ ବିଭାଗ ଅନୁସନ୍ଧାନ କଲେ ପଦାକୁ ଆସିପାରିବ । ଏପରିକି ଏହି ଭଙ୍ଗା ମନ୍ଦିରକୁ ରଣପୁରଗଡ଼ର ରାଜା ଶ୍ରୀ ଗଙ୍ଗ ନରେନ୍ଦ୍ର ଦେବ ପୁନଃଉଦ୍ଧାର କରିଥିବା ମଧ୍ୟ ସ୍ଥାନୀୟ ଲୋକଙ୍କ ପାଖରୁ ଶୁଣିବାକୁ ମିଳେ।

ଏବେ ବି ଘଞ୍ଚ ଜଙ୍ଗଳରେ ମନ୍ଦିରର ଅନେକ ଅଂଶ ପଡ଼ିରହିଛି l  ମନ୍ଦିରର କାରିଗରୀ ଏହାର ବିଶାଳତାକୁ ବଖାଣୁଛି । ସ୍ଥାନୀୟ ଲୋକେ ଏଣେତେଣେ ପଡ଼ିଥିବା ମନ୍ଦିରର ଭଗ୍ନାବଶେଷକୁ ଉଦ୍ଧାର ପାଇଁ ଚେଷ୍ଟା କରିଛନ୍ତି l ଏହାସହ ପାତାଳ ଫୁଟା ଶିବଲିଙ୍ଗ ସମେତ ପୁରାତନ ମନ୍ଦିରର ପାର୍ଶ୍ୱ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି ।

ମନ୍ଦିରକୁ ନେଇ ଲୋକଙ୍କ ମନରେ ଅଗାଢ଼ ବିଶ୍ୱାସ ରହିଛି l ଏଠାରେ ବହୁ ସମୟରେ ଅଲୌକିକ ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କୁହନ୍ତି l ମନ୍ଦିରକୁ ପୁନଃଉଦ୍ଧାର କରାଯିବା ପାଇଁ  ଦାବି ହେବା ସହ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଏହାର ଅନୁସନ୍ଧାନ କଲେ ପୀଠର ପ୍ରାଚୀନତାକୁ ନେଇ ଲୁକ୍କାୟିତ ବହୁ ତଥ୍ୟ ପଦାକୁ ଆସିପାରିବ ବୋଲି ଆଶା ରଖିଛନ୍ତି ।

ଗଙ୍ଗେଶ୍ବର ବାବାଙ୍କ ପାଖରେ ଅଧିଆ ପଡ଼ି ଗୁହାରୀ କଲେ ମାନସିକ ନିଶ୍ଚିତ ପୂରଣ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ବିଶ୍ବାସ ରହିଛି । ସେତିକି ନୁହେଁ, ରାତି ହେଉ କି ଦିନ ବାବାଙ୍କୁ ମୁଣ୍ଡିଆଟେ ମାରି ଚାଲିଗଲେ ଜଙ୍ଗଳ ମଧ୍ୟରେ କୌଣସି ହିଂସ୍ର ଜନ୍ତୁ ଆକ୍ରମଣ କରିନଥାନ୍ତି ବେଲି ଲୋକେ କୁହନ୍ତି । ବିଶେଷ କରି ଜାଗର ସମୟରେ ଗଙ୍ଗଶ୍ବରଙ୍କ ପୀଠରେ ପ୍ରବଳ ଭିଡ଼ ଲାଗିଥାଏ । ଦୂରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ବାବାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥାନ୍ତି ।

Leave a Reply