ରୋଗୀଙ୍କ ଟିକେଟ୍‌ରେ ଏମ୍‌ଆରଆଇ, ରକ୍ତ, ପରିସ୍ରା ପରୀକ୍ଷା ହେବ କହି ଶୋଷଣ କରୁଥିଲେ

ବାଲେଶ୍ବର : ଫକୀର ମୋହନ ମେଡିକାଲ କଲେଜରେ ଏମ୍‌ଆର୍ ଗିରଫ ‌। ରୋଗୀଙ୍କ ଟିକେଟ୍‌ରେ ଏମ୍‌ଆରଆଇ, ରକ୍ତ, ପରିସ୍ରା ଓ ମଧୁମେହ ପରୀକ୍ଷା ପାଇଁ ଲେଖି ଶୋଷଣ ଅଭିଯୋଗରେ ଏମ୍‌ଆର ଅଜୟ ଭଞ୍ଜଙ୍କୁ ମେଡିକାଲ କଲେଜର ସିକ୍ୟୁରିଟି ସୁପରଭାଇଜର କାବୁ କରି ପୋଲିସର ଜିମା ଦେଇଛନ୍ତି । ପୋଲିସ ମାମଲା ରୁଜୁ ସହ ଅଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଏମ୍‌ଆର ଅଜୟ ଭଞ୍ଜ ବାଲେଶ୍ବର ମେଡିକାଲ କଲେଜର ଓପିଡିରେ ୪ ଜଣ ରୋଗୀଙ୍କ ନାମରେ ଟିକେଟ୍‌ କରିଥିଲେ । ଟିକେଟ୍‌ ଡାକ୍ତରଙ୍କୁ ନଦେଖାଇ ନିଜେ ଟିକେଟ୍‌ରେ ବିଭିନ୍ନ ଔଷଧ ସହିତ ଏମ୍‌ଆର୍‌ଆଇ ଓ ବିଭିନ୍ନ ପ୍ରକାରର ପରୀକ୍ଷା କରିବାକୁ ଲେଖିଥିଲେ ।

ଏଥି ସହିତ ନିର୍ଦ୍ଦିଷ୍ଟ ଦୋକାନରୁ ଔଷଧ କଣିବାକୁ ରୋଗୀଙ୍କୁ ପ୍ରବର୍ତ୍ତାଇବା ବେଳେ ଏମ୍‌ଆର୍‌ ଅଜୟ ଭଞ୍ଜଙ୍କୁ ସିକ୍ୟୁରିଟି ସୁପରଭାଇଜର ଅରୁଣ ଦତ୍ତ ମାଡ଼ି ବସିଥିଲେ । ପୋଲିସକୁ ସୂଚନା ଦେବା ପରେ ପୋଲିସ ପହଞ୍ଚି ଅଜୟଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ନିଜ ହସ୍ତାକ୍ଷରରେ ଲେଖିଥିବା ୪ଟି ଆଉଟଡୋର ଟିକେଟ୍‌ ଜବତ କରିଛି  ।