କାଳବୈଶାଖୀ ତାଣ୍ଡବରେ ଲାଗିବ ବ୍ରେକ୍

ଭୁବନେଶ୍ୱର: କାଳବୈଶାଖୀ ତାଣ୍ଡବରେ ଲାଗିବ ବ୍ରେକ୍ । ଦିନକ ପରେ ରାଜ୍ୟରେ ବଢିବ ତାତି । ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳକ ପାଣିପାଗ କେନ୍ଦ୍ର। ବାୟୁ ଚଳାଚଳରେ ତାରତମ୍ୟ ପାଇଁ ଗତ ସପ୍ତାହେ ହେବ ରାଜ୍ୟରେ କାଳବୈଶାଖୀର ତାଣ୍ଡବ ଜାରି ରହିଥିଲା । ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ଦେଖିବାକୁ ମିଳିଥିଲା ।

ମଧ୍ୟାହ୍ନରେ ପ୍ରବଳ ତାତି ଅନୁଭୁତ ହେଉଥିଲେ ମଧ୍ୟ ଅପରାହ୍ନରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ହେଉଥିଲା । ଏଭଳି ପାଗ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଘଡଘଡି ବିଜୁଳି ସହ ବର୍ଷା ନେଇ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, କନ୍ଧମାଳ, ରାୟଗଡା, କୋରାପୁଟ, କେନ୍ଦୁଝର ଏବଂ ଢେଙ୍କାନାଳକୁ ସତର୍କତା ଜାରି କରାଯାଇଛି ।

୧୧ ତାରିଖରେ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୨ ତାରିଖ ବେଳକୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବା ସହ ବର୍ଷାରେ ବ୍ରେକ୍ ଲାଗିବ । ରାଜ୍ୟରେ ଶୁଷ୍କ ଉଷ୍ମ ବାୟୁ ପ୍ରବାହ ବଢିବା ସହ ତାପମାତ୍ରାରେ ଅହେତୁକ ବୃଦ୍ଧି ହେବ । ଗତ ୨୪ ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।