ଦୁର୍ଗାଙ୍କ ରୂପ ଧାରଣ କରିବାରୁ ସାଂସଦଙ୍କୁ ହତ୍ୟା ଧମକ ! ନୂସରତଙ୍କ ପାଇ ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁଙ୍କୁ ପୁଣି ହତ୍ୟା ଧମକ । ନିକଟ ଅତୀତରେ ନୁସରତ ଜାହାଁ ଦୁର୍ଗାଙ୍କ ଅବତାର ଧାରଣ କରି ଫଟୋ ସୁଟ୍‌ କରିଥିଲେ, ଏହା ପରେ ତାଙ୍କୁ ଲଗାତାର ହତ୍ୟା ଧମକ ଦିଆଯାଉଛି । ସୋସିଆଲ ମିଡିଆ ପୋଷ୍ଟରେ ତାଙ୍କୁ ବାରମ୍ବାର ହତ୍ୟା ଧମକ ଦିଆଯାଉଛି । ସେ ଏବେ ଏହାକୁ ନେଇ ଅଭିଯୋଗ କରିଛନ୍ତି । ଫଳରେ ତାଙ୍କ ପାଇଁ ଅଧିକ ସୁରକ୍ଷା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି ।

ଜଣେ ସୋସିଆଲ ମିଡିଆ ୟୁଜର୍ସ ନୁସରତ ଜାହାଁଙ୍କୁ ଧମକ ଦେଇ ଲେଖିଛନ୍ତି ଯେ, ତୁମର ମୃତ୍ୟୁ ସମୟ ଆସିସାରିଛି, ତୁମେ ନିଜ ଶରୀରକୁ ଢ଼ାଙ୍କି ପାରୁ ନାହଁ କାହିଁକି ? ଏହା ବ୍ୟତୀତ ଜଣେ ୟୁଜର୍ସ ନୁସରତ ଜାହାଁଙ୍କୁ ତାଙ୍କ ନାଁ ପରିବର୍ତ୍ତନ କରିବାକୁ କହିଛନ୍ତି । ସୂଚନାଯୋଗ୍ୟ ନୁସରତ ଜାହାଁ ଜଣେ ହିନ୍ଦୁଙ୍କୁ ବିବାହ କରିଛନ୍ତି । ତାଙ୍କ ବିବାହ ସମୟରେ ମଧ୍ୟ ଅନେକ ବିବାଦ ଉପୁଜିଥିଲା ଏବଂ ଚର୍ଚ୍ଚା ମଧ୍ୟ ହୋଇଥିଲା ।

ଏଭଳି ଧମକ ମିଳିବା ପରେ ସାଂସଦଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ସେ ଏବେ ବିଦେଶରେ ଅଛନ୍ତି । ତେଣୁ ସେ ବିଦେଶ ମନ୍ତ୍ରାଳୟ ଏବଂ ପଶ୍ଚିମ ବଙ୍ଗ ସରକାରକୁ ସୁରକ୍ଷା ମାଗିଛନ୍ତି । ଏନେଇ ନୁସରତଙ୍କ ଜଣେ ନିକଟତର ସୂଚନା ଦେଇଛନ୍ତି ।

ଲଣ୍ଡନରେ ଥିବା ଭାରତୀୟ ଉଚ୍ଚ ଆୟୋଗ ସହିତ ବିଦେଶ ମନ୍ତ୍ରଣାଳୟ ଯୋଗାଯୋଗରେ ଅଛି । ଏହାସହ ନୁସରତଙ୍କ ପାଇଁ ସୁରକ୍ଷା କଡ଼ା କଡ଼ି କରିବା ନେଇ ଆଲୋଚନା ହେଉଛି।

ତେବେ ପୂର୍ବରୁ ମଧ୍ୟ ନୁସରତ ଜାହାଁଙ୍କ ସହ ଏଭଳି ଘଟଣା ଘଟିସାରିଛି । ଯେତେବେଳେ ସେ ଦୁର୍ଗା ପୂଜାରେ ଭାଗ ନେଇଥିଲେ, ସିନ୍ଦୁର ନିନ୍ଧି ସଂସଦକୁ ଆସିଥିଲେ ଏବଂ ଯେତେବେଳେ ନୁସରତ ବିବାହ କରିଥିଲେ, ସେହି ସମୟରେ ମଧ୍ୟ ତାଙ୍କୁ ଏଭଳି ଧମକ ମିଳିଥିଲା ଏବଂ ଅନେକ ବିବାଦ ଉପୁଜିଥିଲା ।

Leave a Reply