ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା, ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ସ୍ୱନକ୍ଷତ୍ର

ଯାଜପୁର: ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ସ୍ୱନକ୍ଷତ୍ର । ପରମ୍ପରା ଅନୁଯାୟୀ ପାଳନ ହେଉଛି ମାଆଙ୍କ ଜନ୍ମୋତ୍ସବ । ବ୍ରାହ୍ମ ମୁହୂର୍ତ୍ତରେ ମାଆଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏହାପରେ ସ୍ୱନକ୍ଷତ୍ର ବିହିତ ମହାସ୍ନାନ କରାଯିବ । ସ୍ନାନ ପରେ ମାଆ ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ପରେ ସିଂହାସନ ଉପରେ ଷୋଡ଼ଷ ଉପଚାର ପୂଜାବିଧି କରାଯିବ ।

ଗତ ଦୁଇବର୍ଷ ହେଲା କରୋନା କଟକଣା ପାଇଁ ମାଆଙ୍କ ଜନ୍ମୋତ୍ସବରେ ଦର୍ଶନରୁ ବଞ୍ଚିତ ହେଉଥିଲେ ଭକ୍ତ । ହେଲେ ଚଳିତବର୍ଷ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କୁ ଦର୍ଶନ କରି ସନ୍ତୋଷବ୍ୟକ୍ତି କରିଛନ୍ତି । ଦର୍ଶନ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ଫୁଲ ଓ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଆଜିର ଦିନରେ ମାଆଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ପ୍ରାପ୍ତି ହେବାର ବିଶ୍ବାସ ରହିଛି ।