ସେଦିନ ଭାସିଯାଇଥିଲା ଟ୍ରେନ୍, ବୁଡ଼ି ମରିଥିଲେ ୮ ଶହ

1 min read

ଭୁବନେଶ୍ୱର: ବାହାନଗାରୁ ଆସୁଛି ବେଦନା ଭରା ଚିତ୍ର । ଲୁହା, ଲୁହ ଓ ଲହୁ ହୋଇଯାଇଛି ଏକାକାର । ଦଶନ୍ଧିର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ନେଇଛି ଅନେକ ଜୀବନ । ଅନେକ ପରିବାର ଏବେ ଆଶା ଓ ଆଶଙ୍କା ଭିତରେ । ଭାରତରେ ରେଳ ଦୁର୍ଘଟଣା ଇତିହାସ ଯେତିକି ଲମ୍ବା,ସେତିକି ବିଭତ୍ସ । ବାହାନଗା ଭଳି ଆଉ ଗୋଟିଏ ଦୁର୍ଘଟଣା ୪୨ ବର୍ଷ ତଳେ ଦେଶକୁ ଥରାଇ ଦେଇଥିଲା । ସେତେବେଳେ ଗୋଟିଏ ଟ୍ରେନ୍ ନଦୀରେ ଭାସିଯାଇଥିଲା । ବୁଡ଼ି ମରିଥିଲେ ୮ ଶହ ଯାତ୍ରୀ ।

୧୯୮୧ ମସିହା ଜୁନ୍ ୬ ତାରିଖ । ବିହାରର ମାନସୀ-ସହରସା ମଧ୍ୟରେ ବାଗମିତ ନଦୀ ଉପରେ ଘଟିଥିଲା ସେହି ଭୟାବହ ଦୁର୍ଘଟଣା । ବାଗମତି ନଦୀ ଉପରେ ଥିବା ୫୧ ନମ୍ବର ପୋଲ ଉପରେ ସତେ ଯେମିତି ସେଦିନ ଯମଦୂତ ଜଗିଥିଲେ । ମାନସୀରୁ ସହରସା ଯାଉଥିବା ସେହି ଟ୍ରେନରେ ଥିଲା ମୋଟ ୯ ବଗି । ୫୧ ନମ୍ବର ବ୍ରିଜ୍ ଉପରେ ଟ୍ରେନ୍ ପହଂଚିଲା ବେଳକୁ ଆସିଥିଲା ମୃତ୍ୟୁର ତୋପାନ । ଅଚାନକ ଆସିଥିବା ଝଡ଼ ଓ ବର୍ଷା ଭିତରେ ଫସିଥିଲା ଟ୍ରେନ୍ । ବ୍ରିଜ୍ ଉପରେ ଅଚାନକ ଡ୍ରାଇଭର ବ୍ରେକ୍ ମାରିଥିଲେ । ଡ୍ରାଇଭର କାହିଁକି ବ୍ରେକ୍ ମାରିଥିଲେ ତାହା ଆଜି ପର୍ଯ୍ୟନ୍ତ ଏକ ଅବୁଝା ରହସ୍ୟ । ଡ୍ରାଇଭର ବ୍ରେକ୍ ମାରିବା ସହିତ ଟ୍ରେନର ୯ ବଗି ନଦୀ ମଧ୍ୟକୁ ଖସି ପଡିଥିଲେ। ଆଉ ଏହା ସହିତ ଜଳ ସମାଧୀ ନେଇଥିଲେ ୮ ଶହ ଯାତ୍ରୀ । ସରକାରୀ ହିସାବରେ ମୃତ୍ୟୁ ସଂଖ୍ୟ ୩ ଶହ ଥିଲା । କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ ମୃତ୍ୟୁ ସଂଖ୍ୟା ୮୦୦ରୁ ଅଧିକ ଥିଲା ।

ଡ୍ରାଇଭର କ’ଣ ପାଇଁ ବ୍ରେକ୍ ମାରିଥିଲେ ତାହା ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ । କୁହାଯାଏ ଯେ, ବ୍ରିଜ ଉପରେ ଟ୍ରେନ୍ ସାମ୍ନାକୁ ଅଚାନକ ଗାଇ ଗୋଠ ଆସିଯାଇଥିଲେ । ଗାଇମାନଙ୍କୁ ବଂଚାଇବାକୁ ଯାଇ ଡ୍ରାଇଭର ବ୍ରେକ୍ ମାରିଥିଲେ । ଅନ୍ୟପକ୍ଷରେ ଆଉ ଏକ ମତ ଅନୁସାରେ ଭୀଷଣ ତୋଫାନ ଭିତରେ ଟ୍ରେନ୍ ନିଜ ଗତିରେ ଯାଉଥିଲା । ବର୍ଷା ପାଣି ଯେମିତି ଭିତରକୁ ନଆସିବ ସେଥିପାଇଁ ବଗି ଭିତରୁ ସବୁ ଝରକାକୁ ଯାତ୍ରୀ ବନ୍ଦ କରିଦେଇଥିଲେ । ଫଳରେ ପବନର ପ୍ରଭାବ ଟ୍ରେନ୍ ଉପରେ ପଡ଼ିଥିଲା ଓ  ଟ୍ରେନ ନଦୀକୁ ଖସି ପଡିଥିଲା ।

ବିହାର ରେଳ ଦୁର୍ଘଟଣାକୁ ଦେଶର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ବୋଲି କୁହାଯାଏ । ଏହା ମଧ୍ୟ ଦୁନିଆର ସବୁଠାରୁ ବଡ଼ ରେଳ ଦୁର୍ଘଟଣା । ତେବେ ବିଶ୍ୱର ସବୁଠାରୁ ବଡ଼ ଦୁର୍ଘଟଣା ଶ୍ରୀଲଙ୍କାରେ ଘଟିଥିଲା । ଶ୍ରୀଲଙ୍କାରେ ୨୦୦୪ ସୁନାମୀ କାଳରେ ଓସିଆନ୍ ଏକ୍ସପ୍ରେସ ସମୁଦ୍ରରେ ଭାସି ଯାଇଥିଲା । ଯେଉଁଥିରେ ୧୭ ଶହ ଯାତ୍ରୀ ପ୍ରାଣ ହରାଇଥିଲେ ।