୧ ଅଗଷ୍ଟରୁ ୧୦୦ ଦେଶ ଉପରେ ଟ୍ରମ୍ପଙ୍କ ୧୦ ପ୍ରତିଶତ ନୂଆ ଟାରିଫ, ଭାରତ ଉପରେ କ’ଣ ରହିବ ପ୍ରଭାବ ?

1 min read

ନନ୍ଦିଘୋଷ ବ୍ୟୁରୋ: ବିଶ୍ବ ବଜାର ଉପରେ ପୁଣି ଲାଗିବ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଛାଟ । ଅଗଷ୍ଟ ୧ ତାରିଖରୁ ୧୦୦ ଦେଶର ଆମଦାନୀ ଉପରେ ନୂଆ କରି ଲାଗିବ ୧୦ ପ୍ରତିଶତ ଟାରିଫ । ଆମେରିକୀୟ ଟ୍ରେଜାରୀ ସଚିବ ସ୍କଟ୍ ବେସେଣ୍ଟ ଏହି ସୂଚନା ଦେବା ପରେ ସାରା ବିଶ୍ବରେ ହଇଚଇ ଖେଳିଯାଇଛି । ଏହାକୁ ଆମେରିକାର ଗ୍ଲୋବାଲ ଟ୍ରେଡ ପଲସିରେ ଏକ ବଡ଼ ପରିବର୍ତ୍ତନ ବୋଲି କୁହାଯାଉଛି । ଆଉ ଏହି ଦେଶମାନଙ୍କ ମଧ୍ୟରେ ଭାରତ ବି ରହିଛି । ଆସନ୍ତୁ ଜାଣିବା, ଟ୍ରମ୍ପଙ୍କ ନୂଆ ଟାରିଫ ଭାରତ ଉପରେ କ’ଣ ପ୍ରଭାବ ପକାଇବ ।

ନୂଆ ଟାରିଫ ପ୍ଲାନ୍

ବ୍ଲୁମବର୍ଗଙ୍କୁ ସାକ୍ଷାତକାରରେ ବେସେଣ୍ଟ କହିଛନ୍ତି, ଆମେ ଦେଖୁଛି ରାଷ୍ଟ୍ରପତି ଭଲ ଉଦ୍ଦେଶ୍ୟ ରଖି କଥା ହେଉଥିବା ଦେଶମାନଙ୍କ ସହ କେମିତି ଡିଲ୍ କରୁଛନ୍ତି । ହେଲେ ଏବେ ୧୦୦ ଦେଶଙ୍କ ଉପରେ ଅତି କମରେ ୧୦ ପ୍ରତିଶତ ଟାରିଫ ଲାଗିବ । ରାଷ୍ଟ୍ରପତି ଟ୍ରମ୍ପ ୧୨ ଦେଶଙ୍କ ସହ ‘ନିଅ କିମ୍ବା ଛାଡ଼’ ଷ୍ଟାଇଲରେ ଚୁକ୍ତି କରିଛନ୍ତି । ଏହି ଦେଶମାନଙ୍କ ମଧ୍ୟରେ ଭାରତ, ଜାପାନ ଓ ୟୁରୋପର କିଛି ଦେଶ ଥିବା କୁହାଯାଉଛି । ହେଲେ, ଟ୍ରମ୍ପ ଏହି ଦେଶଙ୍କ ନାଁ କହିବାକୁ ମନା କରିଛନ୍ତି । ସୋମବାରକୁ ଏହାକୁ ଔପଚାରିକ ଭାବେ ଦେଶମାନଙ୍କୁ ପଠାଯିବ ।

ଆଗକୁ ସେ କହିଛନ୍ତି, ଏହି ଟାରିଫର ଉଦ୍ଦେଶ୍ୟ ହେଲା, ଆମେରିକାର ରପ୍ତାନୀକୁ ବୁଷ୍ଟ ଦେବା ଓ ବ୍ୟାପାର ସର୍ତ୍ତକୁ ଆମେରିକା ସପକ୍ଷରେ ରଖିବା ।

ଭାରତ ଉପରେ ପ୍ରଭାବ

ଏବେ ଆସନ୍ତୁ ନଜର ପକାଇବା ଭାରତ ଉପରେ ଟ୍ରମ୍ପଙ୍କ ନୂଆ ଟାରିଫର କି ପ୍ରଭାବ ପଡ଼ିବାକୁ ଯାଉଛି । ସୂଚନାଯୋଗ୍ୟ, ଭାରତ ପାଇଁ ଏହି ନୂଆ ଟାରିଫ ଚିନ୍ତାର କାରଣ ହେବାକୁ ଯାଉଛି । ଏବେ ଆମେରିକା ନିଜ ଦ୍ରବ୍ୟ ଉପରେ ଭାରତକୁ ୨୬ ପ୍ରତିଶତ ଟାରିଫ ରିହାତି ଦେଉଛି । ଏହି ରିହାତି ୯ ଜୁଲାଇକୁ ଶେଷ ହେବାକୁ ଯାଉଛି । ଏହି ସମୟ ଭିତରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟକୁ ନେଇ ନୂଆ ଚୁକ୍ତିନାମା ନହେଲେ ଅଗଷ୍ଟ ୧ ତାରିଖରୁ ଭାରତରୁ ରପ୍ତାନୀ ହେଉଥିବା ଦ୍ରବ୍ୟ ଉପରେ ବି ଟାରିଫ ଲାଗିପାରେ । ନିକଟ ସପ୍ତାହରେ ଦୁଇ ଦେଶ ମଧ୍ୟରେ ଆଲୋଚନାରେ ତୀବ୍ରତା ଦେଖିବାକୁ ମିଳିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଫାଇନାଲ ଡିଲ୍ ହୋଇପାରିନି ।

ଦୁଇ ଦେଶ ମଧ୍ୟରେ ସବୁଠାରୁ ବଡ଼ ସମସ୍ୟା କୃଷି ଓ ଡାଏରୀ ଫାର୍ମକୁ ନେଇ ରହିଛି । ଆମେରିକା ଚାହୁଁଛି ଭାରତ ତାର କୃଷି ଓ ଡାଏରୀ ବଜାରକୁ ଜେନେଟିକାଲି ମଡିଫାଏ ଅଗ୍ରାନିଜିମ୍ (GMO) ଆମଦାନୀ ପାଇଁ ଖୋଲୁ । ହେଲେ ଭାରତ ଚାହୁଁଛି ତା’ର କପଡା, ଚମଡ଼ା ଓ ରତ୍ନ ରପ୍ତାନୀକୁ ଆମେରିକାରେ ଅଧିକରୁ ଅଧିକ ସ୍ଥାନ ମିଳୁ । ଅନ୍ୟପକ୍ଷେ ଆମେରିକା ଭାରତ ସମେତ କୌଣସି ଦେଶକୁ ବି ଷ୍ଟିଲ ସାମଗ୍ରୀ ଉପରେ ରିହାତି ଦେବାକୁ ମନା କରିଦେଇଛି ।

ଭାରତ ଆଗରେ ଚ୍ୟାଲେଞ୍ଜ

ଟ୍ରମ୍ପଙ୍କ ଏହି ନୂଆ ଟାରିଫ ଭାରତ ପାଇଁ ବଡ଼ ଝଟକା ହୋଇପାରେ । କାରଣ ଆମେରିକା ଭାରତ ପାଇଁ ଏକ ବଡ଼ ଆମଦାନୀ ବଜାର । କପଡ଼ା, ଚମଡ଼ା, ରତ୍ନ ଓ ଗହଣା ପରି କ୍ଷେତ୍ରରେ ବହୁତ କ୍ଷତି ହୋଇପାରେ । ନୂଆ ଟାରିଫ ଲାଗୁ ହେଲେ ଭାରତୀୟ ଦ୍ରବ୍ୟର ମୂଲ୍ୟ ଆମେରିକୀୟ ବଜାରରେ ବଢ଼ିଯିବ । ଫଳରେ ବେପାର କମିବାର ଆଶଙ୍କା ରହିଛି । ଭାରତ ସରକାର ଓ ବ୍ୟବସାୟୀଙ୍କ ହାତରେ ବି ଅଧିକ ସମୟ ନାହିଁ । ୯ ଜୁଲାଇ ସୁଦ୍ଧା କୌଣସି ବୁଝାମଣା ନହେଲେ ଅଗଷ୍ଟ ୧ରୁ ଟାରିଫର ପ୍ରଭାବ ଦେଖିବାକୁ ମିଳିପାରେ ।

ବିଶେଷଜ୍ଞଙ୍କ ଅନୁସାରେ, ଭାରତ ସରକାର ଯଥାଶୀଘ୍ର ଆମେରିକା ସହ କୌଣସି ଅନ୍ତରୀଣ ବୁଝାମଣା କରୁବାକୁ ଚାହୁଁଛନ୍ତି । ହେଲେ ଏହା ବି ନଜରରେ ରଖିବାକୁ ପଡ଼ିବ ଯେମିତି ଭାରତର ହିତରେ ଆଞ୍ଚ ନ ଆସିବ । ବିଶେଷ କରି କୃଷି ଓ ଡାଏରୀ ସେକ୍ଟରରେ ଭାରତ ନିଜ ନୀତିକୁ ନେଇ ସତର୍କ ରହିଛି । ଆଗାମୀ ସପ୍ତାହ ଦୁଇ ଦେଶ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ରହିବ । ଯଦି କୌଣସି ବୁଝାମଣା ନହେଲା, ତେବେ ଭାରତୀୟ ବ୍ୟବସାୟୀଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ ।