ଗୁଣିଗାରେଡି ସନ୍ଦେହ ଦୁଇଜଣଙ୍କ ଦାନ୍ତ ଭାଙ୍ଗି ଦେଲେ

ବ୍ରହ୍ମପୁର: ଗଞ୍ଜାମରେ ଅଭାବନୀୟ ଘଟଣା । ଗଡ଼ହୁମ୍ମା ଗାଁରେ ଗୁଣିଆ ସନ୍ଦେହରେ ଦୁଇ ଜଣଙ୍କୁ ଗାଁ ଲୋକ ଦେଇଛନ୍ତି ନିର୍ମମ ଦଣ୍ଡ । ଜଣକ ଦାନ୍ତ ଭଙ୍ଗାଯାଇଥିବା ଅଭିଯୋଗ । ଲୋକଙ୍କୁ ବୁଝାସୁଝା ପରେ ଦୁଇ ଜଣଙ୍କୁ ଉଦ୍ଧାର କରିଛି ପୋଲିସ । ସେପଟେ ଘଟଣାରେ ସମ୍ପୃକ୍ତ ଦୁଇଜଣ ବ୍ୟକ୍ତି ଗାଁରେ ଗୁଣିଗାରେଡି କରି ଲୋକଙ୍କୁ ହତ୍ୟା କରୁଥିବା ପାଲଟା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଆଜି ବି ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ । ଗଞ୍ଜାମ ଜିଲ୍ଲାର ଗଡ଼ହୁମ୍ମା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଅଟକ ରଖି ଜଣଙ୍କର ଭାଙ୍ଗିଲେ ଦାନ୍ତ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । କିନ୍ତୁ ଗ୍ରାମବାସୀ ଗାଁରେ ପୋଲିସକୁ ଲୋକ ପୂରାଇ ଦେଇ ନଥିଲେ । ଲୋକଙ୍କୁ ବୁଝାସୁଝା ପରେ ପୋଲିସ ଦୁଇଜଣଙ୍କୁ ଉଦ୍ଧାର କରିଛି ।

ଅଭିଯୋଗ ଅନୁଯାୟୀ, ଗାଁରେ ୨୦ ଦିନ ତଳେ ଜଣେ ୨୨ ବର୍ଷ ଯୁବକର ମୃତ୍ୟୁ ହୋଇଥିଲା । ଦୁଇମାସ ପୂର୍ବରୁ ମଧ୍ୟ ଗାଁର ଦୁଇ ଜଣ ପିଲାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା । ସମ୍ପୃକ୍ତ ମହିଳା ଓ ପୁରୁଷ ଗୁଣିଗାରେଡ଼ି କରୁଥିବାରୁ ଏପରି ମୃତ୍ୟୁ ଘଟୁଥିବା ଗ୍ରାମବାସୀ ସନ୍ଦେହ କରିଥିଲେ । ଉଭୟ ରାତିରେ ଉଲଗ୍ନ ହୋଇ ପୂଜାପାଠ କରୁଥିବା ଓ ବୁଲୁଥିବା ଲୋକ ଦେଖିଥିବା ଅଭିଯୋଗ କରିଛନ୍ତି । ଏନେଇ ଗାଁ ଲୋକ ଉଭୟଙ୍କୁ ଅଟକ ରଖି ଜଣଙ୍କ ଦାନ୍ତ ଭାଙ୍ଗିଥିବା ଅଭିଯୋଗ ହୋଇଛି ।