ଉଦଳା : ଧାଡିକି ଧାଡି ହୋଇ ଲାଗିଛି ମିଠା ମକା ଗଛ । ସବୁଜ କିଆରୀରେ ମନ ମୋହୁଛି ଫୁରୁଫୁରୁ ହୋଇ ଉଡୁଥିବା ଫୁଲ କେଶର । ଆଉ ଏହି ମିଠା ମକା ଚାଷ କରି ଲାଭବାନ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ସାଇଁକୁଳା ଗାଁର ଚାଷୀ ମଙ୍ଗଲା ଦେହୁରୀ । ପୂର୍ବରୁ ପାରମ୍ପରିକ ଚାଷ କରି କ୍ଷତି ସହୁଥିଲେ ମଙ୍ଗଲା । ସ୍ଵିଟ କର୍ଣ୍ଣ ଚାଷ ବିଷୟରେ ଜାଣି ନିଜ ଚାଷର ଢାଞ୍ଚା ବଦଳାଇ ଆରମ୍ଭ କରିଥିଲେ ମିଠା ମକା ଚାଷ । ଚଳିତ ବର୍ଷ ମଙ୍ଗଲା ତାଙ୍କର ୨ ଏକର ଜମିରେ ମିଠା ମକା ଚାଷ କରିଛନ୍ତି । ସେ ପ୍ରତିଦିନ ୭ ରୁ ୯ କୁଇଣ୍ଟାଲ ମିଠା ମକା ଉତ୍ପାଦନ କରୁଛନ୍ତି । ମଙ୍ଗଲା ଦେହୁରୀ ନିଜେ ଚାଷ କରିବା ସହିତ ସମ୍ପର୍କୀୟଙ୍କ ସମେତ ୮ ଜଣରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି ।

ପୂର୍ବରୁ କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିୟାଣା ଭଳି ରାଜ୍ୟରେ ବହୁଳ ଭାବେ ମିଠା ମକା ଚାଷ କରାଯାଉଥିଲା । ଏବେ ଏହି ଚାଷ ଓଡ଼ିଶାରେ କରାଯାଉଛି । ସାଇଁକୁଳା ଗାଁର ଚାଷୀ ମଙ୍ଗଲା ଦେହୁରୀଙ୍କ ଏହି ମିଠା ମକା ଉଦଳା, କପ୍ତିପଦା, ଖୁଣ୍ଟା, ବଡ଼ସାହି, ବାରିପଦା ସମେତ ପଡ଼ୋଶୀ ବାଲେଶ୍ୱର, ଜଳେଶ୍ୱର, ନୀଳଗିରି, ସୋର ଓ ଭଦ୍ରକ ଅଞ୍ଚଳକୁ ବିକ୍ରି ହେଉଛି ।
ଆଉ ମିଠା ମକା ବିକ୍ରି କରି ସେ ଭଲ ରୋଜଗାର କରୁଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ମିଠା ମକା ଚାଷ ପାଇଁ ଅନୁକୂଳ ଜଳବାୟୁ ରହିଛି । ଆଗାମୀ ଦିନରେ ମିଠା ମକା ଚାଷ ପାଇଁ ସରକାରୀ ସ୍ତରରେ ତାଲିମ ସହିତ ସହାୟତା ଯୋଗାଇ ଦେଲେ ଅଧିକରୁ ଅଧିକ ଚାଷୀ ଲାଭବାନ ହୋଇପାରିବେ ।