ଉଦଳା : ସଫା କରିବା ବାହାନାରେ ଲୁଟି ନେଲେ ସୁନା ଅଳଙ୍କାର । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୩ ନମ୍ବର ୱାର୍ଡରେ ଘଟିଛି ଏଭଳି ଘଟଣା । ଏହି ଗାଁର ଆଶାଲତା ପୃଷ୍ଟି ଘରେ ଥିବା ବେଳେ ଦୁଇ ଜଣ ଯୁବକ ଆସି ପହଞ୍ଚି କମ୍ପାନୀର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ଏକ ପାଉଡର ସାହାଯ୍ୟରେ ସମସ୍ତ ପିତ୍ତଳ,କଂସା ବାସନ ଏବଂ ସୁନା ଗହଣା ସଫା ହୋଇ ପାରିବ ବୋଲି କହିଥିଲେ । ଏପରିକି କିଛି ପିତ୍ତଳ ବାସନକୁସନ ସଫା କରିବା ପରେ ସୁନା ଅଳଙ୍କାର ମାଗିଥିଲେ । ଆଶାଲତା ପୃଷ୍ଟି ଏବଂ ମଧୁସ୍ମିତା ପୃଷ୍ଟି ନିଜର ସୁନା କାନଫୁଲ ଏବଂ ଚେନ ଦେବା ପରେ ଦୁଇ ଯୁବକ ତାହାକୁ ପାଉଡର ଭିତରେ ସଫା କରିବା ନିମନ୍ତେ ରଖିଥିଲେ ଏବଂ କିଛି ସମୟ ପରେ ଖୋଲିବାକୁ କହିଥିଲେ । ହେଲେ ଖୋଲିଲା ବେଳକୁ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଲୁଟି ନେଇଥିବା ଜାଣିବାକୁ ପାଇଥିଲେ । ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଦୁର୍ବୃତ୍ତ ଲୁଟି ନେଇ ଚାଲି ଯାଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

