ବଞ୍ଚିବାର ରାହା ପାଇଲେ ମୟୂରଭଞ୍ଜ ଜିଲ୍ଲାର ରାଢୋ ଗାଁରେ ବୃଦ୍ଧା ବୁଧୁନି

ଉଦଳା : ମୁହଁରେ ମନ ଖୋଲା ହସ । ନୂଆ ଶାଢ଼ୀ ପିନ୍ଧିବା ପରେ ସେହି ଶାଢୀକୁ ସଜାଡି ଦେଉଛନ୍ତି ନିଜେ । ଯାହାକୁ ଦିନେ କିଏ କ’ଣ କହିଲେ କିଛି ଫରକ ପଡୁନଥିଲା । ଆଜି ସିଏ ମନଭରି କଥା ଶୁଣୁଛି ଆଉ ଓଠ ଖୋଲି ହସୁଛି । ବଞ୍ଚିବାର ରାହା ପାଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ରାଢୋ ଗାଁରେ ଭଙ୍ଗା ଝାଟିମାଟି ଘରେ ଜୀବନର ରାହା ଖୋଜୁଥିବା ବୃଦ୍ଧା ବୁଧୁନି । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ ଆଉ ଉଦ୍ଧାର ହେଲେ ବୃଦ୍ଧା । ଉଦଳା ବିଡିଓଙ୍କ ସହିତ ବାରିପଦା ବୃଦ୍ଧାଶ୍ରମର କର୍ମଚାରୀ ପହଞ୍ଚି ଭଙ୍ଗା ଘରୁ ବୁଧୁନି ପାତ୍ରଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମକୁ ନେଇଛନ୍ତି ।…

ଅସହାୟ ଅବସ୍ଥାରେ ଭଙ୍ଗା ମାଟି କାନ୍ଥ ଘରେ ଦୁର୍ବିସହ ଜୀବନ ବିତାଉଥିଲେ ବୃଦ୍ଧା ବୁଧୁନି । ଜଙ୍ଗଲିଆ ପରିବେଶ ମଧ୍ୟରେ ଭଙ୍ଗା ଝାଟିମାଟି ଘରେ ଚିରା ପଲିଥିନ୍ ପାଲ ଢାଙ୍କି ରହୁଥିଲେ । ଏପରିକି  ତାଙ୍କୁ ଆହା ପଦେ କହିବାକୁ ପାଖରେ କେହି ନଥିଲେ । ଓଳିଏ ଖାଇଲେ ଆର ଓଳି ଉପାସ ରହୁଥିଲେ । ଘରର କବାଟ ଦୂରର କଥା ଭଙ୍ଗା ଘର ମଧ୍ୟରେ ଜନ୍ତୁଜୁନ୍ତାଙ୍କ ମଧ୍ୟ ଭୟ ରହୁଥିଲା । ଏପରି ସ୍ଥିତିରେ ଦେବଦୂତ ସାଜିଥିଲା ନନ୍ଦିଘୋଷ ଟିଭି । ବୁଧୁନିଙ୍କ ଦୁଃଖକୁ ବୁଝିପାରି ତାଙ୍କୁ ସହାୟତା ପ୍ରଦାନ କରିଥିବାରୁ ସ୍ଥାନୀୟ ଲୋକେ ମଧ୍ୟ ପ୍ରଶାସନ ଏବଂ ନନ୍ଦିଘୋଷ ଟିଭିକୁ ଧନ୍ୟବାଦ ଜଣାଇଛନ୍ତି । ବୁଧୁନିଙ୍କ ପରି ଅନେକ ନିରାଶ୍ରୟ ବୃଦ୍ଧ ବୃଦ୍ଧା ରହିଛନ୍ତି । ଯେଉଁମାନଙ୍କୁ ଖୋଜି ବାହାର କରି ବଞ୍ଚିବାର ରାହା ଦେଖାଇବା ପାଇଁ ପ୍ରଶାସନ ଆଗେଇ ଆସିବା ଆବଶ୍ୟକ । ଏହା ସହିତ ଆଗକୁ କିପରି ବୁଧୁନି ତାଙ୍କ ଅବଶିଷ୍ଠ ଜୀବନରେ ହସଖୁସିରେ ବିତାଇବେ ସେଥିପାଇଁ ପ୍ରଶାସନ ଯତ୍ନବାନ ହେବା ଜରୁରୀ ।