spot_img

Latest Posts

ଯୌନ ନିର୍ଯାତନା ରୋକିବାକୁ ଆଇନ ଅଛି, ଉଚ୍ଚଶିକ୍ଷାନୁଷ୍ଠାନରେ ହେଉନି କଡ଼ାକଡ଼ି

ଭୁବନେଶ୍ବର : କେଉଁଠି ଅଧ୍ୟାପକ ଫେଭର ମାଗିବାରୁ ଛାତ୍ରୀ ଆତ୍ମାହୁତି ଦେଲଣି ତ କେଉଁଠି କଲେଜରେ ସହପାଠୀର ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ରଶି ଲଗାଇ ଝୁଲି ପଡ଼ୁଛି ଛାତ୍ରୀ । ଏପରି ସମ୍ବେଦନଶୀଳ ଘଟଣା ବଢୁଥିବାରୁ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । କଲେଜରେ ଇଣ୍ଟରନାଲ କମ୍ପଲେଣ୍ଟ କମିଟି ତ ଅଛି । ହେଲେ ଏହା ଠିକ୍ ଭାବେ କାର୍ଯ୍ୟକାରୀ ନ ହେଉଥିବାରୁ ଯୌନ ନିର୍ଯାତନା ଅଭିଯୋଗ ବଢୁଥିବା ନେଇ ଚର୍ଚ୍ଚା ହେଲାଣି । ଏନେଇ ଏବେଠୁ ଆରମ୍ଭ ହେବ କ୍ୟାମ୍ପସ କଲିଂ। ଉଚ୍ଚଶିକ୍ଷାନୁଷ୍ଠାନରେ ମହିଳାଙ୍କ ପ୍ରତି ବଢ଼ୁଥିବା ଯୌନ ନିର୍ଯାତନା ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଚିନ୍ତାପ୍ରକଟ କରିଛନ୍ତି । ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା (ନିବାରଣ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩(ପୋସ୍ ଆଇନ) ର ପ୍ରଭାବଶାଳୀ କାର୍ଯ୍ୟକାରିତା କରିବାକୁ ୟୁଜିସି ନିର୍ଦ୍ଦେଶ ଦେଇଛି। ଏଥିସହ ଜାତୀୟ ମହିଳା ଆୟୋଗ ଓ ଯୁବମନ୍ଥନ ସହାୟତାରେ କ୍ୟାମ୍ପସ କଲିଂ ଅଭିଯାନ କରିବାକୁ ନିଷ୍ପତ୍ତି ନିଆଯାଇଛି । କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାନୁଷ୍ଠାନରେ ମହିଳା ସଶକ୍ତିକରଣ, ଲିଙ୍ଗଗତ ସଚେତନତା ଓ ପୋସ୍ ୨୦୧୩ ସମ୍ପର୍କରେ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ତାଲିମ ତଥା ସଚେତନ କରାଯିବା ପ୍ରତି ଉଚ୍ଚଶିକ୍ଷାନୁଷ୍ଠାନରେ ୪ ଜଣ କ୍ୟାମ୍ପସ ଦୂତ ବି ମନୋନୀତ ହେବେ । ଏହାକୁ ପାଳନ କରିବାକୁ ୟୁଜିସି ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକୁ ଚିଠି କରିଛି । ହେଲେ ଆଇନ ଥିବା ସତ୍ତ୍ବେ ଯୌନ ନିର୍ଯାତନା ରୋକିବାକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଉଥିବାରୁ ପ୍ରଶାସନିକ ଅପାରଗତାକୁ ଶିକ୍ଷାବିତ ଟାର୍ଗେଟ କରିଛନ୍ତି ।

ସେପଟେ ମହିଳା କଲେଜରେ ଛାତ୍ରୀ ନିଜକୁ ଅଧିକ ସୁରକ୍ଷିତ ମନୁଛନ୍ତି । ହେଲେ କ୍ୟାମ୍ପସ ବାହାରେ ସେମାନେ ଅଶ୍ଳୀଳ ଇଙ୍ଗିତର ଶୀକାର ହେଉଥିବା ଅଭିଯୋଗ ହୋଇଛି । ତେବେ କୋ-ଏଡ୍ କଲେଜ ଗୁଡ଼ିକରେ ନିୟମ କଡ଼ାକଡ଼ି ପାଳନ କରିବାର ଆବଶ୍ୟକତା ରହିଛି । କିଛି ମାସ ତଳେ ବିଜୁ ଜନତା ଦଳ ପକ୍ଷରୁ ଛାତ୍ରୀ ସୁରକ୍ଷା ପାଇଁ ଏସପି ଓ ଡିଜିପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ କଲେଜ, ବିଶ୍ବବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଇସିସି ଗଠନ ବାଧ୍ୟତାମୂଳକ । ଆଇସିସି ସଦସ୍ୟଙ୍କ ଫୋନ୍ ନମ୍ବର ଆଦି ତଥ୍ୟ ଶିକ୍ଷାନୁଷ୍ଠାନ ଓ୍ବେବସାଇଟରେ ରହିବ  | ଏସବୁ କ୍ୟାମ୍ପସର ପ୍ରମୁଖ ସ୍ଥାନରେ ଲଗାଯିବ ।  କୋଠା ନିକଟରେ ଅଭିଯୋଗ ବାକ୍ସ ରହିବ । ଏତେ ସବୁ ନିୟମ ସତ୍ତ୍ବେ, ଅନେକ ଉଚ୍ଚଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା ପ୍ରମୁଖ ମୁଦ୍ଦା ପାଲଟିଥିବାରୁ, ଚିନ୍ତା ବଢିବାରେ ଲାଗୁଛି ।

Latest Posts

Don't Miss