ସ୍ୱିଡେନ ସହ ବ୍ରିଟେନର ପ୍ରତିରକ୍ଷା ରାଜିନାମା, ଋଷ ଆକ୍ରମଣ କଲେ ମିଳିବ ସହାୟତା

1 min read

କିଭ୍: ଋଷ ଓ ୟୁକ୍ରେନ ଯୁଦ୍ଧର ପ୍ରଭାବ ୟୁରୋପର କିଛି ଅଣନାଟୋ ଦେଶ ଉପରେ ପଡ଼ିଛି । ସ୍ୱିଡେନ ଓ ଫିନଲାଣ୍ଡ ଭଳି ନିରପେକ୍ଷ ଦେଶ ମଧ୍ୟ ଏବେ ଋଷ ଓ ୟୁକ୍ରେନ ଆକ୍ରମଣକୁ ଖୋଲାଖୋଲି ବିରୋଧ କରିଛନ୍ତି । ଏସବୁ ମଧ୍ୟରେ ସ୍ୱିଡେନ ସହ ଏକ ସୁରକ୍ଷା ଚୁକ୍ତି କରିଛି ବ୍ରିଟେନ । ଯଦି ସ୍ୱିଡେନ ଉପରେ ଆକ୍ରମଣ ହୁଏ, ତାହା ହେଲେ ବ୍ରିଟେନ ସହାୟତା କରିବ । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଓ ସ୍ୱିଡେନ୍ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଫିନଲାଣ଼୍ଡ ସହ ମଧ୍ୟ ବ୍ରିଟେନ ଏଭଳି ଏକ ଚୁକ୍ତି କରିବା ସମ୍ଭାବନା ରହିଛି ।

ସେପଟେ ୭୭ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ । ଥମିବାର ନାଁ ନେଉନି ସମର । ବର୍ତ୍ତମାନ ସୁଦ୍ଧା ୨୬ ହଜାର ୩୫୦ ଋଷ ସୈନ୍ୟ ପ୍ରାଣ ହରାଇଛି ବୋଲି ଦାବି କରିଛି ୟୁକ୍ରେନ । ଏହା ସହ ୧୯୯ ବିମାନ, ୧୬୦ ହେଲିକପ୍ଟର, ୧୧୮୭ ଟ୍ୟାଙ୍କ, ୩୯୦ ୟୁଏଭି ନଷ୍ଟ ହୋଇଛି ବୋଲି ସୂଚନା ଦେଇଛି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ । ତେଣେ ଆମେରିକାଠାରୁ ୟୁକ୍ରେନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲାଭ କରି ଯୁଦ୍ଧକୁ ଜୋରଦାର କରୁଥିବାବେଳେ କୃଷ୍ଣସାଗରରେ ଋଷ ମୁତୟନ କରିଛି ୬ଟି ଯୁଦ୍ଧ ଜାହାଜ, ୨ଟି ବୁଡ଼ାଜାହାଜ । ଏହି ଜାହାଜରେ ୫୦ରୁ ଅଧିକ କ୍ରୁଜ୍ ମିଜାଇଲ ଖଞ୍ଜାଯାଇଥିବା ସୂଚନା ମିଳିଛି ।

ଶତ୍ରୁରାଷ୍ଟ୍ରଙ୍କ ବିରୋଧରେ ଖୁବ୍ ଶୀଘ୍ର ବିଭିନ୍ନ ସ୍ଥାନରେ ଜଳ, ସ୍ଥଳ ଓ ଆକାଶକୁ ନିକ୍ଷେପ ହୋଇପାରୁଥିବା ହାଇପରସୋନିକ ମିସାଇଲ ମୁତୟନ କରିବାକୁ ଘୋଷଣା କରିଛି ଋଷ । ତେଣେ ୟୁକ୍ରେନକୁ ଟକ୍କର ଦେବାକୁ ଋଷ ମୁତୟନ କରିଛି ଅତ୍ୟାଧୁନିକ BMP-1AM ଲଢୁଆ ଯାନ । ଉଭୟ ରାତି ଓ ଦିନରେ ଅପରେଟ ହୋଇପାରୁଥିବା ଏହି ଟ୍ୟାଙ୍କ ୟୁକ୍ରେନ ଲାଗି ବିପଦ ସାବ୍ୟସ୍ତ ହେବ । ସେପଟେ ଅର୍ଥନୈତିକ ସଙ୍କଟ ଘନୀଭୂତ ହେଉଥିବାବେଳେ ଋଷର ୪ଜଣ ଆଞ୍ଚଳିକ ଗଭର୍ଣ୍ଣର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତୋମସ୍କ, ସାରାତୋଭ, କିରୋଭ ଓ ମାରିଏଲର ଗଭର୍ଣ୍ଣର ଅର୍ଥନୈତିକ ସଂକଟ ଓ ଅନ୍ୟାନ୍ୟ କାରଣ ଦର୍ଶାଇ ଏହି ପଦକ୍ଷେପ ନେଇଛନ୍ତି । ତେଣେ ୟୁକ୍ରେନକୁ ଆମେରିକା ୪୦ ବିଲିୟନ ଡଲାର ସାମରିକ ଓ ମାନବିକ ସହାୟତା ଯୋଗାଇବାକୁ ନିଷ୍ପତ୍ତି ନେଇଛି ।