ଗାଜାରେ ଅସ୍ତ୍ରବିରତି ଲାଗି ଆଜି ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ହେବ ଭୋଟ

ନ୍ୟୁୟର୍କ: ଗାଜାରେ ଅସ୍ତ୍ରବିରତି ଲାଗି ଆଜି ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ହେବ ଭୋଟ । ସେପଟେ ଇସ୍ରାଏଲ ଆକ୍ରମଣ ବିରୋଧରେ ବିଶ୍ବବ୍ଯାପୀ ଧର୍ମଘଟ ଆହ୍ବାନ ଦେଇଛି ପାଲେଷ୍ଟାଇନ । ଗତ ଅକ୍ଟୋବରରେ ଗାଜାରେ ଅସ୍ତ୍ରବିରତି ଲାଗି ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ଭୋଟ ହୋଇଥିଲା । ପ୍ରସ୍ତାବ ସପକ୍ଷରେ 121 ଭୋଟ ମିଳିଥିବାବେଳେ ବିରୋଧରେ 14 ଭୋଟ ମିଳିଥିଲା । ଭୋଟଦାନରୁ ବିରତ ରହିଥିଲେ 44 ରାଷ୍ଟ୍ର ।

ମାନବିକ ସହାୟତା ଉଦ୍ଦେଶ୍ଯରେ ହେବାକୁ ଯାଉଥିବା ଭୋଟରେ 193 ରାଷ୍ଟ୍ର ସାମିଲ ହେବା ଆଶା କରାଯାଉଛି । ଗାଜାରେ ତୁରନ୍ତ ଅସ୍ତ୍ର ବିରତି ଲାଗି ଗତ ଶନିବାର ହୋଇଥିବା ନିରାପତ୍ତା ପରିଷଦ ଜରୁରୀ ଭୋଟରେ ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଥିଲା ଆମେରିକା । ଫଳରେ ସାଧାରଣ ଆସେମ୍ବ୍ଲିରେ ଭୋଟ ଦାନ ନେଇ ସାନି ଆବଶ୍ଯକତା ପଡିଥିଲା ।

ସେପଟେ ହମାସର ଅର୍ଥନୈତିକ କାରବାର ଉପରେ କଟକଣା ଲାଗି ଦାବି କରିଛି ୟୁରୋପୀୟ ୟୁନିଅନ । ୟୁରୋପୀୟ ୟୁନିଅନରେ ବର୍ତ୍ତମାନ ହମାସକୁ ଏକ ଆତଙ୍କୀ ସଂଗଠନ ଭାବେ ଘୋଷଣା କରାଯାଇଛି । ସେପଟେ ତୁରନ୍ତ ଆତ୍ମସମର୍ପଣ କରିବା ଲାଗି ହମାସକୁ ଆହ୍ବାନ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁ । ତେଣେ ଇସ୍ରାଏଲର ଆକ୍ରମଣ ବିରୋଧରେ ବିଶ୍ବବ୍ଯାପୀ ଧର୍ମଘଟ ଆହ୍ବାନ ଦେଇଛି ପାଲେଷ୍ଟାଇନ । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ 18 ହଜାରରୁ ଅଧିକ ଲୋକ ପ୍ରାଣହରାଇଥିବାବେଳେ ପ୍ରାୟ 20 ଲକ୍ଷ ଲୋକ ହେଲେଣି ବିସ୍ଥାପିତ ।